Site icon ଆଜିକାଲି

ଏସିଆ କପ୍‌-୨୦୨୨ : ଶ୍ରୀଲଙ୍କାକୁ ୮ ୱିକେଟରେ ହରାଇଲା ଆଫଗାନିସ୍ତାନ

ଦୁବାଇ: ଜବରଦସ୍ତ ବିଜୟରୁ ଆଫଗାନିସ୍ତାନ ନିଜ ଏସିଆ କପ୍ ଅଭିଯାନ ଆରମ୍ଭ କରିଛି । ଶନିବାର ଅନୁଷ୍ଠିତ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ ଆଫଗାନିସ୍ତାନ ୮ ୱିକେଟରେ ପାଞ୍ଚ ଥରର ବିଜେତା ଶ୍ରୀଲଙ୍କାକୁ ହରାଇ ଦେଇଛି । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ୧୯.୪ ଓଭରରେ ମାତ୍ର ୧୦୫ ରନରେ ଅଲଆଉଟ୍ ହୋଇଯାଇଥିଲା । ଏହାର ଜବାବରେ ଆଫଗାନିସ୍ତାନ ମାତ୍ର ୧୦.୧ ଓଭରରେ ୨ ୱିକେଟ୍ ହରାଇ ବିଜୟଲକ୍ଷ୍ୟ ହାସଲ କରିନେଇଥିଲା । ଦଳ ପକ୍ଷରୁ ଓପନର ରହମନୁଲ୍ଲା ଗୁରବାଜ ୧୮ଟି ବଲରେ ୪୦ ରନ୍ କରିଥିବା ବେଳେ ହର୍ଜତୁଲ୍ଲା ଜାଜାଇ ଅପରାଜିତ ୩୭ ରନ୍ କରିଥିଲେ ।

ପୂର୍ବରୁ ଆଫଗାନିସ୍ତାନ ଟସ୍ ଜିତି ଶ୍ରୀଲଙ୍କାକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲା । ଶ୍ରୀଲଙ୍କାର ଆରମ୍ଭଚ ନୈରାଶ୍ୟଜନକ ଥିଲା । ଦଳ ମାତ୍ର ଦୁଇ ଓଭର ମଧ୍ୟରେ ମାତ୍ର ୫ ରନରେ ୩ଟି ୱିକେଟ୍ ହରାଇ ଦେଇଥିଲା । ଦ୍ରୁତ ବୋଲର ଫାଜାଲାକ୍ ଫାରୁକି ଶ୍ରୀଲଙ୍କା ଟପ୍ ଅର୍ଡରକୁ ଘାଇଲା କରିଥିଲେ । ପାଥୁମ ନିଶଙ୍କା ମାତ୍ର ୩ ରନ୍ କରି ନବୀନ ଉଲ୍ ହକଙ୍କ ଶିକାର ହୋଇଥିଲେ । ଏହାପରେ କୁଶଲ ମେଣ୍ଡିସ୍ (୨) ଓ ଚରିତ ଆସଲାଙ୍କାକୁ (୦)ଙ୍କୁ ଆଉଟ୍ କରି ଫାରୁକି ଶ୍ରୀଲଙ୍କାକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ । ମାତ୍ର ୫ ରନରେ ୩ ୱିକେଟ୍ ହରାଇଥିବା ଶ୍ରୀଲଙ୍କାକୁ ବିପର୍ଯ୍ୟୟରୁ ଉଦ୍ଧାର କରିବାକୁ ଦାନୁସ୍କା ଗୁଣତିଳକା (୧୭) ଓ ଭାନୁକା ରାଜପକ୍ଷେ (୩୮) ଉଦ୍ୟମ କରିଥିଲେ । ଏ ଦୁହେଁ ଚତୁର୍ଥ ୱିକେଟରେ ୪୪ ରନ୍ ଯୋଗ କରିଥିଲେ । ଗୁଣତିଳକା ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣାଇଥିଲେ ଓ କିଛି ମାତ୍ରାରେ ସଫଳ ବି ହୋଇଥିଲେ । ତେବେ ଦୁର୍ଭାଗ୍ୟ ବଶତଃ ଭାବେ ସେ ରନ୍ ଆଉଟ୍ ହୋଇଯିବା ପରେ ଶ୍ରୀଲଙ୍କା ପୁଣି ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଶ୍ରୀଲଙ୍କା ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ଚାଲିଥିଲା । କ୍ୟାପଟେନ ଦାସୁନ ସନକା ଖାତା ଖୋଳିନପାରି ଆଉଟ୍‌ହୋଇଥିଲେ । ହସରଙ୍ଗା ମାତ୍ର ୨ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ । ଚାମିକା କରୁଣାରତ୍ନେ ଉପଯୋଗୀ ୩୧ ରନ୍ କରି ଶେଷ ବ୍ୟାଟ୍ସମ୍ୟାନ୍ ଭାବେ ଆଉଟ୍ ହୋଇଥିବା ବେଳେ ଶ୍ରୀଲଙ୍କା ୧୯.୪ ଓଭରରେ ୧୦୫ ରନରେ ଅଲଆଉଟ୍ ହୋଇଥିଲା । ଆଫଗାନିସ୍ତାନଚ ତରଫରୁ ଫାରୁକି ୩ଟି ୱିକେଟ୍ ନେଇଥିବା ବେଳେ ମୁଜୀବ ଉର ରହମାନ ଓ ମହମ୍ମଦ ନବୀ ୨ଟି ଲେଖାଏଁ ୱିକେଟ୍ ହାସଲ କରିଥିଲେ ।

Exit mobile version