Site icon ଆଜିକାଲି

‘ହାଇବ୍ରିଡ୍ ମଡେଲ’ ଅନୁଯାୟୀ ଅଗଷ୍ଟ ୩୧ରୁ ଏସିଆ କପ୍

ଦୁବାଇ: ଏସିଆ କ୍ରିକେଟ୍ ପରିଷଦ (ଏସିସି) ଏସିଆ କପ୍ ତାରିଖ ଘୋଷଣା କରିଛି। ଏହି ଟୁର୍ଣ୍ଣାମେଣ୍ଟ ୩୧ ଅଗଷ୍ଟରୁ ୧୭ ସେପ୍ଟେମ୍ବର ପର୍ଯ୍ୟନ୍ତ ଖେଳାଯିବ | ଶ୍ରୀଲଙ୍କା ଏବଂ ପାକିସ୍ତାନ ମିଳିତ ଭାବେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବେ।

ଟୁର୍ଣ୍ଣାମେଣ୍ଟର ପ୍ରଥମ ଚାରିଟି ମ୍ୟାଚ୍ ପାକିସ୍ତାନରେ ଖେଳାଯିବାକୁ ଥିବା ବେଳେ ପରବର୍ତ୍ତୀ ୯ଟି ମ୍ୟାଚ୍ ଶ୍ରୀଲଙ୍କାରେ ଖେଳାଯିବ। ଏଥର ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ ଅଧିକାର ପାକିସ୍ତାନ ପାଖରେ ଥିଲା । କିନ୍ତୁ ଭାରତୀୟ ଦଳ ପାକିସ୍ତାନରେ ଖେଳିବାକୁ ପ୍ରସ୍ତୁତ ନଥିଲା।

ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ମଧ୍ୟ ଏନେଇ ଅସନ୍ତୋଷ ବ୍ୟକ୍ତ କରିଥିଲା। ହେଲେ ପିସିବି ଅଧ୍ୟକ୍ଷ ନଜମ ସେଠୀ ଏକ‌ ‘ହାଇବ୍ରିଡ୍ ମଡେଲ’ ପ୍ରସ୍ତାବ ଦେଇଥିଲେ । ଏହି ‘ହାଇବ୍ରିଡ୍ ମଡେଲ’ ଅନୁଯାୟୀ ଭାରତୀୟ ଦଳ ଏହାର ମ୍ୟାଚ୍ ଗୁଡ଼ିକ ନିରପେକ୍ଷ ଭେନ୍ୟୁରେ ଖେଳିବ ଓ ଅବଶିଷ୍ଟ ମ୍ୟାଚ୍ ପାକିସ୍ତାନରେ ଅନୁଷ୍ଠିତ ହେବ । ଏସିସି ଶେଷରେ ଏହି ହାଇବ୍ରିଡ୍ ମଡେଲକୁ ଗ୍ରହଣ କରିଥିଲା ।

ଏହି ଟୁର୍ଣ୍ଣାମେଣ୍ଟରେ ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ, ଆଫଗାନିସ୍ତାନ ଏବଂ ନେପାଳର ଦଳ ଅଂଶଗ୍ରହଣ କରୁଛନ୍ତି। ଟୁର୍ଣ୍ଣାମେଣ୍ଟର ୬ଟି ଦଳକୁ ଦୁଇଟି ଗ୍ରୁପରେ ବିଭକ୍ତ କରାଯିବ। ପ୍ରତ୍ୟେକ ଗ୍ରୁପର ଶ୍ରେଷ୍ଠ ଦୁଇ ଦଳ ସୁପର ଫୋର୍ ପର୍ଯ୍ୟାୟକୁ ଉନ୍ନୀତ ହେବେ |

ଗୋଟିଏ ଗ୍ରୁପରେ ଭାରତ, ପାକିସ୍ତାନ ଏବଂ ନେପାଳର ଦଳ ରହିଥିବା ବେଳେ ଅନ୍ୟ ଗ୍ରୁପରେ ଶ୍ରୀଲଙ୍କା, ବାଂଲାଦେଶ ଏବଂ ଆଫଗାନିସ୍ତାନର ରହିଛନ୍ତି ।ସୁପର ଫୋର୍ ପର୍ଯ୍ୟାୟର ଶ୍ରେଷ୍ଠ ଦୁଇ ଦଳ ଫାଇନାଲକୁ ଉନ୍ନୀତ ହେବେ ।

Exit mobile version