Site icon ଆଜିକାଲି

ଏସିଆନ ଚାମ୍ପିୟନ୍ସ ଟ୍ରଫି : ଜାପାନକୁ ୫-୧ରେ ହରାଇ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କଲା ଭାରତ

ନୂଆଦିଲ୍ଲୀ : ଏସିଆନ ଚାମ୍ପିୟନ୍ସ ଟ୍ରଫିରେ ଭାରତୀୟ ହକି ଟିମର ବିଜୟ ଧାରା ଜାରି ରହିଛି। ପ୍ରଥମ ମ୍ୟାଚ୍‌ରେ ଚାଇନାକୁ ମାତ ଦେଇଥିବା ହକି ଟିମ ଆଜି ଜାପାନକୁ ଏକତରଫା ଭାବେ ୫-୧ରେ ଚିତ କରିଛି। ଆଜିର ମ୍ୟାଚ୍‌ରେ ଭାରତୀୟ ହକି ଟିମ ଆରମ୍ଭରୁ ହିଁ ନିଜ ଦବଦବା ଦେଖାଇଥିଲା। ପ୍ରଥମ ୨ ମିନିଟରେ ୨ଟି ଗୋଲ ସ୍କୋର କରି ଦଳ ଅଗ୍ରଣୀ ହାସଲ କରିଥିଲା।

ଦ୍ୱିତୀୟ କ୍ୱାର୍ଟରର ଦ୍ୱିତୀୟ ମିନିଟରେ ଦଳ ଆଉ ଗୋଟିଏ ଗୋଲ କରି ଲିଡ୍‌କୁ ୩-୦ କରି ନେଇଥିଲା। ହାଫ ଟାଇମ ସୁଦ୍ଧା ୦-୩ରେ ପଛରେ ଥିବା ଜାପାନ କମବ୍ୟାକ କରିବାକୁ ଚେଷ୍ଟା କରିଥିଲା। ଏଥିସହ ତୃତୀୟ କ୍ୱାର୍ଟର ସରିବାକୁ ୪ ମିନିଟ ବାକି ଥିବା ବେଳେ କାଜୁମାସା ମାଟସୁମୋଟୋ ଗୋଟିଏ ଗୋଲ ଦେଇଥିଲେ। ଶେଷ ତଥା ୪ର୍ଥ କ୍ୱାର୍ଟରରେ ଜାପାନ ଆଟାକ କରିଥିଲେ ହେଁ ଭାରତ ସବୁ କିଛି ଉଦ୍ୟମକୁ ପଣ୍ଡ କରି ଦେଇଥିଲା। ବରଂ ଏହି କ୍ୱାର୍ଟରରେ ଉତ୍ତମ ସିଂହ ଓ ସୁଖଜୀତ ସିଂହ ଭାରତ ପାଇଁ ଦୁଇଟି ଗୋଲ ସ୍କୋର କରିଥିଲେ। ଶେଷରେ ଭାରତ ୫-୧ରେ ମ୍ୟାଚ୍‌ ଜିତିବା ସହ ଜାପାନ ବିପକ୍ଷରେ ନିଜର ୧୦୦% ବିଜୟ ରେକର୍ଡ ବଳବତ୍ତର ରଖିଛି।

ଭାରତ ପକ୍ଷରୁ ମ୍ୟାଚ୍‌ର ଦ୍ୱିତୀୟ ମିନିଟରେ ସୁଖଜୀତ ସିଂହ ଓ କିଛି ସେକେଣ୍ଡ ମଧ୍ୟରେ ଅଭିଷେକ ଗୋଲ କରିଥିଲେ। ମ୍ୟାଚ୍‌ର ୧୭ ତମ ମିନିଟରେ ଭାରତକୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ସଞ୍ଜୟ ଗୋଲରେ ପରିଣତ କରିଥିଲେ। ଶେଷ କ୍ୱାର୍ଟରରେ ଜରମନପ୍ରୀତଙ୍କ ସୁନ୍ଦର ପାସକୁ ଗୋଲରେ ବଦଳାଇ ଉତ୍ତମ ସିଂହ(୫୪ତମ ମିନିଟ) ଭାରତକୁ ୪-୧ରେ ଆଗୁଆ କରି ଦେଇଥିଲେ। ମ୍ୟାଚ୍‌ ସରିବାକୁ ଆଉ ମାତ୍ର କିଛି ସେକେଣ୍ଡ ଥିବା ବେଳେ ସୁଖଜୀତ ମ୍ୟାଚ୍‌ରେ ଦ୍ୱିତୀୟ ଓ ଦେଶ ପାଇଁ ୫ମ ଗୋଲ ସ୍କୋର କରିଥିଲେ।

ଭାରତ ଆସନ୍ତା ବୁଧବାର ଏସିଆନ ଚାମ୍ପିୟନ୍ସ ଟ୍ରଫିର ତୃତୀୟ ମ୍ୟାଚ୍‌ରେ ମ୍ୟାଲେସିୟାକୁ ଭେଟିବ। ମଙ୍ଗବାରକୁ ବିଶ୍ରାମ ଦିବସ ଭାବେ ରଖାଯାଇଛି।

Exit mobile version