Site icon ଆଜିକାଲି

ଏସିଆନ୍ ଚାମ୍ପିଅନ୍ସ ଟ୍ରଫି : ଚୀନକୁ ହରାଇ ୫ମ ଥର ପାଇଁ ଟାଇଟଲ୍ ହାତେଇଲା ଭାରତ

ନୂଆଦିଲ୍ଲୀ : ଏସିଆନ୍ ଚାମ୍ପିଅନ୍ ଟ୍ରଫି ୨୦୨୪ ହକିର ଫାଇନାଲରେ ରୋମାଞ୍ଚ ଭରା ଲଢେଇ ଦେଖିବାକୁ ମିଳିଛି । ପ୍ରଥମ ଥର ଫାଇନାଲରେ ପହଞ୍ଚିଥିବା ଚୀନକୁ ଭାରତୀୟ ଦଳ ଶୋଚନୀୟ ଭାବେ ପରାସ୍ତ କରିଛି । ପ୍ରଥମ ୩ କ୍ବାଟର୍ସ ପର୍ଯ୍ୟନ୍ତ ଭାରତ ଓ ଚୀନ ମଧ୍ୟ କଡା ଟକ୍କର ଦେଖିବାକୁ ମିଳିଥିଲା । କିନ୍ତୁ ଧିରେ ଧିରେ ବାଜି ପଲଟିଗଲା । ଭାରତ ୧-୦ ଗୋଲରେ ଚୀନକୁ ହରାଇ ଚାମ୍ପିଅନ୍ ହେଲା । ଏହାକୁ ମିଶାଇ ଭାରତୀୟ ହକି ଦଳ ୫ମ ଥର ପାଇଁ ଟାଇଟଲ୍ ଜିତିଛି ।

ଆଜି ଫାଇନାଲରେ ହରମନପ୍ରୀତ ସିଂହଙ୍କ ଭାରତୀୟ ଟିମ କଡ଼ା ସଂଘର୍ଷ ସହ ଚାଇନାକୁ ୧-୦ରେ ହରାଇ ଟ୍ରଫି ଜିତିଛି। ଭାରତ ପକ୍ଷରୁ ଯୁଗରାଜ ସିଂହ ହିଁ ଏକମାତ୍ର ଗୋଲ ସ୍କୋର କରିଛନ୍ତି। ଏହି ଗୋଲଟି ଶେଷ କ୍ୱାର୍ଟର(୫୧ତମ ମିନିଟ)ରେ ହିଁ ମିଳିଥିଲା। ଚାଇନା ପ୍ରଥମଥର ଫାଇନାଲ ଖେଳୁଥିଲେ ହେଁ ଭାରତକୁ କଡ଼ା ଟକ୍କର ଦେବାକୁ ସକ୍ଷମ ହୋଇଥିଲା। ବିଶେଷ କରି ଚାଇନାର ଗୋଲ କିପର ଏକାଧିକ ଗୋଲକୁ ରୋକିବାକୁ ସକ୍ଷମ ହୋଇଥିଲେ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଭାରତ ତା’ର ଏସିଆନ ଚାମ୍ପିୟନ୍ସ ଟ୍ରଫି ଅଭିଯାନ ଚାଇନାକୁ ହରାଇ ଆରମ୍ଭ କରିଥିଲା। ଆଜି ଫାଇନାଲରେ ସେହି ଚାଇନାକୁ ହରାଇ ଚାମ୍ପିୟନ ହୋଇଛି। ୨୦୨୩ ଏସିଆନ ଚାମ୍ପିୟନ୍ସ ଟ୍ରଫି ମଧ୍ୟ ଭାରତ ଜିତିଥିଲା। ଦଳ ଫାଇନାଲରେ ମାଲେସିୟାକୁ ୪-୩ ଗୋଲରେ ହରାଇ ଟ୍ରଫି କବଜା କରିଥିଲା। ଏଥର ଚାଇନାକୁ ହରାଇ ଚାମ୍ପିୟନ ହୋଇଛି।

୨୦୧୧, ୨୦୧୬, ୨୦୧୮, ୨୦୨୩ ଓ ୨୦୨୪ରେ ଭାରତ ଏସିଆନ ଚାମ୍ପିୟନ୍ସ ଟ୍ରଫିରେ ଚାମ୍ପିୟନ ହୋଇଛି। ଦଳକୁ କେବଳ ୨୦୧୨ରେ ରନର୍ସ ଅପ ହେବାକୁ ପଡ଼ିଥିଲା। ସେହିପରି ୨୦୧୩ରେ ଦଳ ଫାଇନାଲକୁ ଯାଇ ପାରି ନଥିଲା। ଏହି ୨ ବିପର୍ଯ୍ୟୟକୁ ଛାଡ଼ି ଦେଲେ ଭାରତ ସବୁ ସଂସ୍କରଣରେ ନିଜର ଦବଦବା ଦେଖାଇ ଚାଲିଛି। ଏଥର ମଧ୍ୟ ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ ପୂରା ଟୁର୍ଣ୍ଣାମେଣ୍ଟରେ ଦଳ ଅପରାଜେୟ ରହି ଟ୍ରଫି ହାସଲ କରିଛି।

Exit mobile version