Site icon ଆଜିକାଲି

ଆସାମ ମୁଖ୍ୟମନ୍ତ୍ରୀଙ୍କ ବୟାନକୁ ନେଇ ବିବାଦ, କହିଲେ ପନିପରିବା ଦର ବୃଦ୍ଧି ପାଇଁ ମୁସଲିମ ସମ୍ପ୍ରଦାୟ ଦାୟୀ

ଗୁଆହାଟି: ରାଜ୍ୟରେ ପନିପରିବା ଦର ବୃଦ୍ଧି ପାଇଁ ଆସାମ ସରକାର ମୁସଲମାନ ସମ୍ପ୍ରଦାୟକୁ ଦାୟୀ କରିଛନ୍ତି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵ ସର୍ମା କହିଛନ୍ତି ଯେ ଗୁଆହାଟୀରେ ମିଆଁ ମୁସଲମାନ ମାନଙ୍କୁ ପନିପରିବା ଓ ‘ମସଲା’ ବିକ୍ରି କରିବାକୁ ଅନୁମତି ଦିଆଯିବ ନାହିଁ।

ତାଙ୍କର ଏପରି ବୟାନକୁ ନେଇ ବିବାଦ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି, ସମସ୍ତ ପରିବା ବିକ୍ରେତା ଦର ବଢ଼ାଉଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ମିଆଁ ଲୋକ (ମୁସଲିମ) । ଆସାମ ମୁଖ୍ୟମନ୍ତ୍ରୀଙ୍କ ଏପରି ମନ୍ତବ୍ୟ ନେଇ ଧୁବରୀ ସାଂସଦ ବଦରୁଦ୍ଦିନ ଅଜମଲ କଟାକ୍ଷ କରିଛନ୍ତି।

ଅଜମଲ କହିଛନ୍ତି, ମୁଖ୍ୟମନ୍ତ୍ରୀ ହେଉଛନ୍ତି ରାଜ୍ୟ ମୁଖ୍ୟ ଏବଂ ତାଙ୍କ ତୁଣ୍ଡରୁ ଏପରି ମନ୍ତବ୍ୟ ଠିକ୍ ମନେ ହେଉନାହିଁ। ସେ ଏପରି କହିବା ଉଚିତ୍ ନୁହେଁ | ମୁଁ ଏହାକୁ ପସନ୍ଦ କରେ ନାହିଁ । ଏସବୁ କରି ସେ ମୁସଲମାନ ଏବଂ ଅହମିଆ ଲୋକଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରୁଛନ୍ତି। ଏସବୁ ପରେ ମଧ୍ୟ ଯଦି କୌଣସି ଅଘଟଣ ଘଟେ, ତେବେ ଏଥିପାଇଁ ସରକାର ଏବଂ ମୁଖ୍ୟମନ୍ତ୍ରୀ ସର୍ମା ଦାୟୀ ରହିବେ।

ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵ ସର୍ମା ଶୁକ୍ରବାର ଦେଇଥିବା ମନ୍ତବ୍ୟରୁ ବଡ଼ ବିବାଦ ଉଠିଥିଲା । ମୁସଲିମ୍ ପନିପରିବା ବିକ୍ରେତାମାନେ ପନିପରିବା ଦର ବଢ଼ାଉଛନ୍ତି । ଯଦି “ଆସାମବାସୀ” ପନିପରିବା ବିକ୍ରି କରନ୍ତି, ତେବେ ସେମାନେ “ଆସାମ ଲୋକଙ୍କ” ଠାରୁ ଅଧିକ ପଇସା ନିଅନ୍ତି ନାହିଁ।

Exit mobile version