Site icon ଆଜିକାଲି

ଉମେଶ ପାଲ ଅପହରଣ ମାମଲାରେ ଅତିକ୍ ଅହମ୍ମଦଙ୍କୁ ଆଜୀବନ ଜେଲ୍

ପ୍ରୟାଗରାଜ : ବହୁ ଚର୍ଚ୍ଚିତ ଉମେଶ ପାଲ ଅପହରଣ ମାମଲାରେ ପ୍ରୟାଗରାଜର ଏମପି-ଏମ୍ଏଲ୍ଏ କୋର୍ଟ ଗ୍ୟାଙ୍ଗଷ୍ଟରରୁ ନେତା ବନିଥିବା ଅତିକ୍ ଅହମ୍ମଦଙ୍କ ସହ ୩ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏଥିସହ ସମସ୍ତ ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ୨୦୦୬ର ଉମେଶ ପାଲଙ୍କ ଅପହରଣ ମାମଲାରେ କୋର୍ଟ ଏହି ଦଣ୍ଡ ଘୋଷଣା କରିଛନ୍ତି।

ଉମେଶ ପାଲ ବିଏସପି ବିଧାୟକ ରାଜୁ ପାଲ୍ ହତ୍ୟା ମାମଲାର ମୁଖ୍ୟ ସାକ୍ଷୀ ଥିଲେ । ୨୦୦୬ରେ ତାଙ୍କୁ ଅପହରଣ କରାଯାଇଥିଲା। ତାଙ୍କ ଅପହରଣ ଅଭିଯୋଗ ପଛରେ ଅତିକ୍ ଅହମ୍ମଦଙ୍କ ହାତ ଥିଲା ବୋଲି ଉମେଶ ପାଲ ଅଭିଯୋଗ କରିଥିଲେ ।

ଚଳିତ ବର୍ଷ ଫେବୃଆରୀ ୨୪ରେ ଉମେଶ ପାଲଙ୍କୁ ଦିନ ଦ୍ବିପହରରେ ତାଙ୍କ ଘର ଆଗରେ ଗୁଳିକରି ହତ୍ୟା କରାଯାଇଥିଲା । ଏହା ପୂର୍ବରୁ ଜେଲରେ ଥିବା ପୂର୍ବତନ ସାଂସଦ ଅତିକ୍ ଅହମ୍ମଦ ଉତ୍ତରପ୍ରଦେଶ ପୋଲିସର ହେପାଜତରେ ତାଙ୍କ ଜୀବନ ପ୍ରତି ବିପଦ ରହିଛି ବୋଲି ଦାବି କରି ସୁରକ୍ଷା ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । କିନ୍ତୁ ତାଙ୍କ ଆବେଦନକୁ ଖାରଜ କରି ସୁପ୍ରିମକୋର୍ଟ ତାଙ୍କୁ ହାଇକୋର୍ଟ ଯିବାକୁ କହିଥିଲେ ।

ଉମେଶ ପାଲ ଅପହରଣ ଅଭିଯୋଗରେ ଅନ୍ୟ ୭ ଜଣ ଅଭିଯୁକ୍ତଙ୍କୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ୧୭ ବର୍ଷ ତଳେ ଉମେଶ ପାଲଙ୍କୁ ଅପହରଣ କରାଯାଇଥିଲା। ଉମେଶ ପାଲ ଅଭିଯୋଗ କରିଥିଲେ ଯେ ୨୦୦୬ ମସିହାରେ ଅତିକ୍ ଅହମ୍ମଦ ଏବଂ ତାଙ୍କ ସହଯୋଗୀମାନେ ତାଙ୍କୁ ଅପହରଣ କରି ନେଇଥିଲେ।

ଅତିକ ଅହମ୍ମଦଙ୍କୁ ସୋମବାର ଗୁଜରାଟର ସାବରମତି ଜେଲରୁ କଡ଼ା ସୁରକ୍ଷା ମଧ୍ୟରେ ପ୍ରୟାଗରାଜର ନୈନି ଜେଲକୁ ନିଆଯାଇଥିଲା।

Exit mobile version