Site icon ଆଜିକାଲି

ଆମେରିକାରେ ଭାରତୀୟ ମହିଳାଙ୍କ ଉପରେ ଆକ୍ରମଣ, ଭିଡିଓ ଭାଇରାଲ

ୱାଶିଂଟନ: ଆମେରିକାର ଟେକ୍ସାସ୍ ରାଜ୍ୟରେ ଚାରିଜଣ ଭାରତୀୟ-ଆମେରିକୀୟ ମହିଳାଙ୍କ ଉପରେ ଆକ୍ରମଣ କରାଯିବାର ଏକ ଭିଡିଓ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହେବା ପରେ ଏହି ଘଟଣାରେ ପୋଲିସ ଜଣେ ମହିଳାଙ୍କୁ ଗିରଫ କରିଛି।

ଭିଡିଓରେ ଅଭିଯୁକ୍ତ ମହିଳା ଜଣକ ବର୍ଣ୍ଣ ବୈଷମ୍ୟ ଆକ୍ଷେପ ସହ ଅଶ୍ଲୀଳ ଭାଷାରେ ଗାଳି କରୁଥିବା ଦେଖିବାକୁ ମିଳିଛି ଏବଂ ଭାରତୀୟ-ଆମେରିକୀୟ ମହିଳାମାନଙ୍କୁ ଭାରତ ଫେରିଯିବାକୁ କହୁଛନ୍ତି। ବୁଧବାର ରାତିରେ ଟେକ୍ସାସର ଡାଲାସର ଏକ ପାର୍କିଂ ସ୍ଥାନରେ ଏହି ଘଟଣା ଘଟିଛି। ଭିଡିଓରେ ଅଭିଯୁକ୍ତ ମହିଳା ନିଜକୁ ମେକ୍ସିକାନ୍-ଆମେରିକୀୟ ବୋଲି କହୁଛନ୍ତି ଏବଂ ଭାରତୀୟ-ଆମେରିକୀୟ ମହିଳାଙ୍କ ଉପରେ ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି। ଭିଡିଓରେ ମହିଳା “ମୁଁ ତୁମ ଭାରତୀୟଙ୍କୁ ଘୃଣା କରେ | ଏହି ସମସ୍ତ ଭାରତୀୟ ଆମେରିକାରେ ଆସନ୍ତି କାରଣ ସେମାନେ ଏକ ଭଲ ଜୀବନ ଚାହୁଁଛନ୍ତି ବୋଲି ସେ କହିଛନ୍ତି। ମେକ୍ସିକୋ-ଆମେରିକୀୟ ମହିଳାଙ୍କୁ ପ୍ଲାନୋର ଏସମେରାଲା ଅପଟନ୍ ବୋଲି ଚିହ୍ନଟ କରାଯାଇଛି।

ସୋସିଆଲ ମିଡିଆରେ ଏହି ଭିଡିଓ ସେୟାର କରିଥିବା ଜଣେ ବ୍ୟକ୍ତି ଲେଖିଛନ୍ତି ଯେ ଟେକ୍ସାସର ଡାଲାସରେ ମୋର ମା’ ଏବଂ ତାଙ୍କ ତିନି ସାଙ୍ଗଙ୍କ ସହ ଏହି ଘଟଣା ଘଟିଛି। ଭିଡିଓ ସେୟାର କରିଥିବା ବ୍ୟକ୍ତିଙ୍କ ମା’ ଭିଡିଓରେ ମେକ୍ସିକୋ-ଆମେରିକୀୟ ମହିଳାଙ୍କୁ ବିରୋଧ କରୁଥିବା ଏବଂ ତାଙ୍କୁ ଜାତିଗତ ଆକ୍ଷେପ ନକରିବାକୁ ଅନୁରୋଧ କରୁଛନ୍ତି । ଭିଡିଓରେ ଅଭିଯୁକ୍ତ ମହିଳା ଜଣକ ମଧ୍ୟ କହୁଛନ୍ତି, ମୁଁ ଯେଉଁଆଡେ ଯାଏ … ତୁମେ ଭାରତୀୟମାନେ ସବୁଆଡେ ମିଳିଯାନ୍ତି। ଯଦି ଭାରତରେ ଜୀବନଶୈଳୀ ଭଲ ତେବେ ତୁମେ ଏଠାରେ କାହିଁକି ଅଛ? ”ତା’ପରେ ସେ ଅଶାଳୀନ ଶବ୍ଦ ବ୍ୟବହାର କରି ପାଟି କରି ଭାରତୀୟ-ମହିଳାଙ୍କୁ ପିଟିବା ଦେଖିବାକୁ ମିଳୁଛି।

ପ୍ଲାନୋ ପୋଲିସ ଅଧିକାରୀ ଗୁରୁବାର ଅପରାହ୍ନରେ ଅଭିଯୁକ୍ତ ମହିଳା ଏସମେରାଲା ଅପ୍ଟନଙ୍କୁ ଗିରଫ କରିଛନ୍ତି। ତାଙ୍କ ବିରୋଧରେ ଆକ୍ରମଣ, ଶାରୀରିକ ଆଘାତ ଏବଂ ଧମକ ଦେବା ଆରୋପ ଲଗାଯାଇଛି । ଡେମୋକ୍ରାଟିକ୍ ପାର୍ଟିର ରିମା ରସୁଲ ଏହି ଘଟଣାକୁ ନିନ୍ଦା କରି ଟୁଇଟ୍ କରି କହିଛନ୍ତି, “ଏହା ଅତ୍ୟନ୍ତ ଭୟାନକ। ତାଙ୍କ ପାଖରେ ବନ୍ଧୁକ ଥିଲା ଏବଂ ଗୁଳି ଚଳାଇବାକୁ ଚାହୁଁଥିଲା।

Exit mobile version