Site icon ଆଜିକାଲି

ଆଜି ମୁମ୍ବାଇରେ ଅଷ୍ଟ୍ରେଲିଆ-ଆଫଗାନିସ୍ତାନ ଟକ୍କର, ଜିତିଲେ ସେମି ଟିକେଟ୍‌

ମୁମ୍ବାଇ : ଦିନିକିଆ ବିଶ୍ୱକପ୍‌ ୨୦୨୩ରେ ମଙ୍ଗଳବାର ମୁମ୍ବାଇର ଓ୍ୱାଙ୍ଖେଡ ଷ୍ଟାଡିୟମ୍‌ରେ ଖେଳାଯିବ ଟୁର୍ଣ୍ଣାମେଣ୍ଟର ୩୯ ତମ ମ୍ୟାଚ୍‌ । ଅପରାହ୍ନ ୨ଟାରେ ମୁହାଁମୁହିଁ ହେବେ ଅଷ୍ଟ୍ରେଲିଆ-ଆଫଗାନିସ୍ତାନ ।

ଭାରତ ଓ ଦକ୍ଷିଣ ଆଫ୍ରିକା ସେମି ଫାଇନାଲ୍‌କୁ ଯୋଗ୍ୟତା ଅର୍ଜନ କରିସାରିଛନ୍ତି । ବାକି ୨ଟି ସ୍ଥାନ ପାଇଁ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ପାକିସ୍ତାନ ଓ ଆଫଗାନିସ୍ତାନ ଦୌଡ଼ରେ ରହିଛନ୍ତି । ଆଫଗାନିସ୍ତାନ ୭ଟି ମ୍ୟାଚ୍‌ ଖେଳି ୪ ବିଜୟ ସହ ମୋଟ୍‌ ୮ ପଏଣ୍ଟ ହାସଲ କରିସାରିଛି । ମଙ୍ଗଳବାର ଅଷ୍ଟ୍ରେଲିଆକୁ ହରାଇଲେ ନ୍ୟୁଜିଲାଣ୍ଡ ଓ ପାକିସ୍ତାନକୁ ପଛରେ ପକାଇ ପଏଣ୍ଟ ତାଲିକାର ଚତୁର୍ଥ ସ୍ଥାନକୁ ଉଠିପାରିବ । ଅନ୍ୟ ପଟରେ ଅଷ୍ଟ୍ରେଲିଆ ଉକ୍ତ ମ୍ୟାଚ୍‌ ଜିତିଲେ ସେମିରେ ସ୍ଥାନ ପକ୍କା କରିବ ।

ଆଫଗାନିସ୍ତାନ ଇତି ମଧ୍ୟରେ ଇଂଲଣ୍ଡ, ପାକିସ୍ତାନ, ଶ୍ରୀଲଙ୍କା ଓ ନେଦରଲାଣ୍ଡ୍‌ସକୁ ହରାଇ ମନୋବଳ ଦୃଢ କରିଛି । ଅଷ୍ଟ୍ରେଲିଆକୁ ହରାଇବା ଭଳି ଦକ୍ଷତା ଦଳ ନିକଟରେ ରହିଛି । ବିଶେଷ କରି ଦଳରେ ରହିଥିବା ବିଶ୍ୱ ପ୍ରସିଦ୍ଧ ସ୍ପିନରମାନେ ଅଷ୍ଟ୍ରେଲିଆ ବ୍ୟାଟରଙ୍କୁ ଅଟକାଇବାର କ୍ଷମତା ରଖିଛନ୍ତି । ମଙ୍ଗଳବାର ଅଷ୍ଟ୍ରେଲିଆ ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନ କରିବ । ପୂର୍ବ ମ୍ୟାଚ୍‌ ଖେଳି ନଥିବା ମିଚେଲ ମାର୍ଶ ଓ ଗ୍ଲେନ ମ୍ୟାକ୍ସୱେଲ୍‌ ପ୍ରତ୍ୟାବର୍ତ୍ତନ କରିବେ । ମାତ୍ର ଷ୍ଟିଭେନ ସ୍ମିଥ୍‌ ଖେଳିବା ନେଇ ଆଶଙ୍କା ରହିଛି । ସ୍ୱାସ୍ଥ୍ୟଗତ ସମସ୍ୟା ଦେଇ ଗତି କରୁଛନ୍ତି ସ୍ମିଥ୍‌ । ଆଫଗାନିସ୍ତାନ ମଧ୍ୟ ନୁର ଅହମ୍ମଦଙ୍କ ସ୍ଥାନରେ ନବୀନ ଉଲ-ହକ୍‌ଙ୍କୁ ଏକାଦଶରେ ସ୍ଥାନ ଦେବାର ସମ୍ଭାବନା ରହିଛି ।

Exit mobile version