Site icon ଆଜିକାଲି

ଭାରତ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ୧୮ ଜଣିଆ ଟିମ୍ ଘୋଷଣା କଲା ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ: ଚଳିତ ମାସ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳାଯିବ। ଏଥିପାଇଁ ଟିମ୍ ଘୋଷଣା କରିଛି ଅଷ୍ଟ୍ରେଲିଆ। ଟିମ୍‌ରେ ୧୮ ଜଣଙ୍କୁ ସ୍ଥାନ ମିଳିଥିବା ବେଳେ ପ୍ୟାଟ୍ କମିନ୍ସ ଦଳର ଅଧିନାୟକ ହେବେ ବୋଲି ଅଷ୍ଟ୍ରେଲିଆ କ୍ରିକେଟ ପକ୍ଷରୁ ସୂଚନା ଦିଆଯାଇଛି।

ଆହତ କାରଣରୁ ଦକ୍ଷିଣ ଆଫ୍ରିକା ଟୁର୍‌ରେ କମିନ୍ସଙ୍କୁ ବାଦ୍ ଦିଆଯାଇଥିଲା। ହେଲେ ଭାରତ ବିପକ୍ଷ ମ୍ୟାଚ୍‌ରେ ସେ ଖେଳିବ ବୋଲି ଅଷ୍ଟ୍ରେଲିଆ କହିଛି। ତେବେ ଏହି ଟିମ୍‌ରେ ଟ୍ରାଭିସ୍ ହେଡ୍‌ଙ୍କୁ ସ୍ଥାନ ମିଳି ନାହିଁ। କାରଣ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚତୁର୍ଥ ଦିନିକିଆ ଖେଳ ଚାଲିଥିବା ବେଳେ ତାଙ୍କ ବାମ ହାତରେ ଫ୍ରେକ୍ଚର ହୋଇଥିଲା। ତେଣୁ ହେଡ୍‌ଙ୍କୁ ଭାରତ ବିପକ୍ଷ ଟିମ୍‌ରେ ବାଦ୍ ଦେଇ ତାଙ୍କ ସ୍ଥାନରେ ଓପନର ମାଥ୍ୟୁ ଶର୍ଟଙ୍କୁ ଟିମ୍‌ରେ ସାମିଲ କରାଯାଇଛି।

ସେହିପରି ଅଭିଜ୍ଞ ଖେଳାଳି ଗ୍ଲେନ୍ ମାକ୍ସୱେଲ୍, ଷ୍ଟିଭ୍ ସ୍ମିଥ୍ ଓ ମିଚେଲ ଷ୍ଟାର୍କ ଟିମ୍‌କୁ ଫେରିଛନ୍ତି। ଏହି ୩ ଖେଳାଳିଙ୍କୁ ମଧ୍ୟ ଆହତ କାରଣୁ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍‌ରୁ ବାଦ ଦିଆଯାଇଥିଲା। ଦକ୍ଷିଣ ଆଫ୍ରିକା ବିରୋଧରେ ମାନର୍ସ ଲାବୁଶାନଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁ ତାଙ୍କୁ ଭାରତ ବିପକ୍ଷ ଟିମ୍‌ରେ ମଧ୍ୟ ଚୟନ କରାଯାଇଛି। ତେବେ ପାରିବାରିକ କାରଣ ଯୋଗୁ ଅଲ୍‌ରାଉଣ୍ଡର ଏଷ୍ଟନ ଏଗରଙ୍କୁ ଟିମ୍‌ରୁ ବାଦ ଦିଆଯାଇଛି।

ଦିନିକିଆ ସିରିଜ୍ ପାଇଁ ଅଷ୍ଟ୍ରେଲିଆ ଟିମ୍ :

ପାଟ୍ କମିନ୍ସ (ଅଧିନାୟକ), ସିନ ଆବଟ, ଆଲେକ୍ସ କେରି, ନାଥନ୍ ଏଲିସ୍, କ୍ୟାମେରନ୍ ଗ୍ରୀନ୍, ଜୋସ୍ ହାଜଲେଉଡ୍, ଜୋସ୍ ଇଙ୍ଗଲିସ୍, ସ୍ପେନ୍ସର ଜନସନ, ମାର୍ନସ୍ ଲାବୁଶେନ, ମିଚେଲ ମାର୍ଶ, ଗ୍ଲେନ୍ ମ୍ୟାକ୍ସୱେଲ, ତନବୀର ସଂଘା, ମାଥ୍ୟୁ ସର୍ଟ, ଷ୍ଟିଭ ସ୍ମିଥ, ମିଚେଲ ଷ୍ଟାର୍କ, ମାର୍କସ ଷ୍ଟୋଇନିସ୍, ଡେଭିଡ ୱାର୍ନର, ଆଡାମ ଜାମ୍ପା।

Exit mobile version