Site icon ଆଜିକାଲି

ମ୍ୟାକ୍ସୱେଲଙ୍କ ବିସ୍ଫୋରଣ ଆଗରେ ଋତୁରାଜଙ୍କ ଶତକ ଫିକା, ତୃତୀୟ ଟି-୨୦ରେ ବାଜି ମାରିଲା ଅଷ୍ଟ୍ରେଲିଆ

ଗୁଆହାଟୀ: ଗ୍ଲେନ୍ ମ୍ୟାକ୍ସୱେଲଙ୍କ ବିସ୍ଫୋରକ ଶତକ ବଳରେ ଅଷ୍ଟ୍ରେଲିଆ ମଙ୍ଗଳବାର ଅନୁଷ୍ଠିତ ହାଇସ୍କୋରିଂ ତୃତୀୟ ଟି-୨୦ରେ ଭାରତକୁ ୫ ୱିକେଟରେ ହରାଇ ଦେଇଛି। ପ୍ରଥମ ଦୁଇ ମ୍ୟାଚ୍ ହାରିଥିବା ଅଷ୍ଟ୍ରେଲିଆ ଏହି ଚମତ୍କାର ବିଜୟ ସହ ୫ ମ୍ୟାଚ୍ ବିଶିଷ୍ଟ ସିରିଜକୁ ପ୍ରତ୍ୟାବର୍ତ୍ତନ କରିଛି | ସିରିଜରେ ଭାରତର ଅଗ୍ରଣୀ ବ୍ୟବଧାନକୁ ୨-୧କୁ ହ୍ରାସ କରିଦେଇଛି କଙ୍ଗାରୁ ଟିମ୍। ସିରିଜର ଚତୁର୍ଥ ମ୍ୟାଚ୍ ଡିସେମ୍ବର ୧ରେ ରାୟପୁରରେ ଖେଳାଯିବ।

ଗୁଆହାଟିର ବାରସପାରା ଷ୍ଟାଡିୟମରେ ଖେଳାଯାଇଥିବା ତୃତୀୟ ଟି-୨୦ରେ ଅଷ୍ଟ୍ରେଲିଆ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଋତୁରାଜ ଗାଏକୱାଡଙ୍କ ଆକର୍ଷଣୀୟ ଶତକ ସହାୟତାରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୩ ୱିକେଟ୍ ହରାଇ ୨୨୨ ରନର‌ ବଡ଼ ସ୍କୋର୍ କରିଥିଲା।ଥ ହେଲେ ମ୍ୟାକ୍ସୱେଲଙ୍କ ବିସ୍ଫୋରକ ଇନିଂସ୍ ବଳରେ ଅଷ୍ଟ୍ରେଲିଆ ଠିକ୍ ୨୦ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ଅଷ୍ଟ୍ରେଲିଆକୁ ଶେଷ ୨ ଓଭରରେ ୪୩ ରନ୍ ଦରକାର ଥିଲା । ହେଲେ ମ୍ୟାକ୍ସଓ୍ବେଲ ଓ‌ କ୍ୟାପଟେନ ମାଥ୍ୟୁ ଓ୍ବେଡ୍ ଅସମ୍ଭବ ମନେ ହେଉଥିବା ବିଜୟକୁ ସମ୍ଭବ କରିଥିଲେ ।

ଗ୍ଲେନ୍ ମ୍ୟାକ୍ସୱେଲ ମାତ୍ର ୪୮ ବଲରେ ୧୦୪ ରନର‌ ଅପରାଜିତ ତଥା ବିସ୍ଫୋରକ ଇନିଂସ ଖେଳିଥିଲେ। ସେ ୮ଟି ଚୌକା ଓ ୮ଟି ଛକା ମାରିଥିଲେ। କ୍ୟାପଟେନ ମାଥ୍ୟୁ ୱେଡ ୧୬ଟି ବଲରେ ୨୮ ରନ୍ ଅପରାଜିତ ରହିଥିଲେ। ଇନିଂସ୍ ଓପନ୍ କରିଥିବା ଟ୍ରାଭିସ୍ ହେଡ୍ ୧୮ ବଲରେ ୩୫ ରନ୍ କରିଥିଲେ |

ପୂର୍ବରୁ ଋତୁରାଜ ଗାଏକୱାଡ ତାଙ୍କ ଅନ୍ତର୍ଜାତୀୟ ଟି-୨୦ କ୍ୟାରିୟରର ପ୍ରଥମ ଶତକ ହାସଲ କରିଥିବା ବେଳେ ଭାରତ ଏହି ସିରିଜରେ କ୍ରମାଗତ ତୃତୀୟ ଥର‌ ୨୦୦ରୁ ଊର୍ଦ୍ଧ୍ବ ସ୍କୋର୍ ଛିଡ଼ା କରିଥିଲା ‌।

ଋତୁରାଜ ମାତ୍ର ୫୭ ବଲରେ ୧୩ଟି ଚୌକା ଓ ୭ଟି ଛକା ସହ ଅପରାଜିତ ୧୨୩ ରନ୍ କରିଥିଲେ । ଅଧିନାୟକ ସୂର୍ଯ୍ୟକୁମାର ଯାଦବ ୨୯ ବଲରେ ୫ଟି ଚୌକା ଓ ୨ଟି ଛକା ସହ ୩୯ ରନ୍ କରିଥିବା ବେଳେ ତିଳକ ବର୍ମା ୨୪ଟି ବଲରେ ଅପରାଜିତ ୩୧ ରନ୍ କରିଥିଲେ ।

Exit mobile version