Site icon ଆଜିକାଲି

ସାଇବାବାଙ୍କ ଉପରେ ବାଗେଶ୍ୱର ଧାମ ପୀଠାଧିଶଙ୍କ ମନ୍ତବ୍ୟ ନେଇ ବିବାଦ, କାର୍ଯ୍ୟାନୁଷ୍ଠାନ ପାଇଁ ଦାବି

ନୂଆଦିଲ୍ଲୀ: ପୁଣି ବିବାଦୀୟ ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ବାଗେଶ୍ୱର ଧାମର ପୀଠାଧିଶ ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ । ଏବେ ସେ ସାଇବାବାଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ତାଙ୍କ ମନ୍ତବ୍ୟକୁ ନେଇ ମହାରାଷ୍ଟ୍ରରେ ରାଜନୀତି ମଧ୍ୟ ତେଜିଛି । ଉଦ୍ଧବ ବାଲାସାହେବ ଠାକରେ ଯୁବ ସେନା ତରଫରୁ ତାଙ୍କ ବିରୋଧରେ ବାନ୍ଦ୍ରା ପୋଲିସ ଥାନାରେ ଲିଖିତ ଅଭିଯୋଗ ଦିଆଯାଇଛି।

ସୋସିଆଲ ମିଡିଆରେ ଆଚାର୍ଯ୍ୟ ଧିରେନ୍ଦ୍ର ଶାସ୍ତ୍ରୀଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡ଼ିଓରେ ସେ ସାଇବାବାଙ୍କ ଉପରେ ବିବାଦୀୟ ବୟାନ ଦେଉଛନ୍ତି । ସେ କହୁଛନ୍ତି, “ସାଇବାବା ଜଣେ ସାଧୁ ହୋଇପାରନ୍ତି, ଫକୀର ହୋଇପାରନ୍ତି, କିନ୍ତୁ ସେ ଭଗବାନ ହୋଇପାରିବେ ନାହିଁ। ସାଇ ବାବାଙ୍କୁ ପୂଜା କରାଯିବା ନେଇ ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ କହିଛନ୍ତି, ‘ ଶୃଗାଳର ଚମଡ଼ା ପିନ୍ଧିଲେ କେହି ବାଘ ହୋଇଯିବେ ନାହିଁ। ଯଦି ଆମେ ଶଙ୍କରାଚାର୍ଯ୍ୟଙ୍କ ପରି ବସ୍ତ୍ର ପରିଧାନ କରୁ, ତେବେ ଆମେ କ’ଣ ଶଙ୍କରାଚାର୍ଯ୍ୟ ହୋଇଯିବୁ ? ସାଧୁ ସାଧୁ, ଭଗବାନ ଭଗବାନ |”

ମହାରାଷ୍ଟ୍ରରେ ସାଇ ବାବାଙ୍କ ଭକ୍ତ ସଂଖ୍ୟା ସବୁଠୁ ଅଧିକ, ଯେଉଁମାନେ ତାଙ୍କୁ ଭଗବାନ ରୂପେ ପୂଜା କରନ୍ତି। ଏଭଳି ସ୍ଥିତିରେ ସାଇ ବାବାଙ୍କ ଉପରେ ଆଚାର୍ଯ୍ୟ ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ମନ୍ତବ୍ୟର ସେମାନଙ୍କୁ ଆଘାତ ଦେଇଛି । ଏହି ପ୍ରସଙ୍ଗରେ ମହାରାଷ୍ଟ୍ରରେ ରାଜନୀତି ଆରମ୍ଭ ହୋଇଯାଇଛି। ଔରଙ୍ଗାବାଦର ଅଲ ଇଣ୍ଡିଆ ମଜଲିସ-ଇ-ଇତେହାଦୁଲ ମୁସଲିମୀନ ସାଂସଦ ଇମତିଆଜ ଜଲିଲ, ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଶିବସେନାକୁ ଟାର୍ଗେଟ କରି ସେ କହିଛନ୍ତି, ‘ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍। ଆମ ଦେଶରେ ସାଇ ବାବାଙ୍କର କୋଟି କୋଟି ଭକ୍ତ ଅଛନ୍ତି। ତାଙ୍କ ଉପରେ ଏପରି ଶବ୍ଦ ବ୍ୟବହାରରୁ ସମସ୍ତେ ନିବୃତ୍ତ ରହିବା ଉଚିତ୍ । ଏପରି ଅନେକ ବାବା ଅଛନ୍ତି ଯେଉଁମାନେ ସେମାନଙ୍କର ଆପତ୍ତିଜନକ ବକ୍ତବ୍ୟ ଯୋଗୁଁ ଚର୍ଚ୍ଚାରେ ରହିଛନ୍ତି । ଏହି ବାବାମାନଙ୍କର ପରିଣାମ କ’ଣ ହୋଇଥାଏ ତାହା ସମସ୍ତେ ଜାଣନ୍ତି ।

ଅନ୍ୟପକ୍ଷରେ ବାଗେଶ୍ୱର ପୀଠାଧିଶଙ୍କ ଏପରି ମନ୍ତବ୍ୟ ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯିବ ସେନେଇ ଏନସିପି ନେତା ଜିତେନ୍ଦ୍ର ଆହାଦ ମଧ୍ୟ ସିନ୍ଦେ-ଫଡନାଭିସଙ୍କ ଠାରୁ ଜବାବ ଲୋଡିଛନ୍ତି। ଶିବସେନାକୁ ଟାର୍ଗେଟ କରି ଜିତେନ୍ଦ୍ର କହିଛନ୍ତି, ମହାରାଷ୍ଟ୍ରର ସବୁ ମହାପୁରୁଷଙ୍କୁ ଅପମାନିତ କରିବା ପାଇଁ ସମସ୍ତଙ୍କୁ ଆମନ୍ତ୍ରଣ କରାଯାଉଛି। ଯେଉଁମାନେ ଏଠାକୁ ବାଗେଶ୍ୱର ବାବାଙ୍କୁ ଡାକିଥିଲେ ସେମାନେ ଏବେ ସାଇ ବାବାଙ୍କ ଉପରେ ନିଜ ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ।

ଆଚାର୍ଯ୍ୟଙ୍କ ଏହି ବୟାନରେ ଲକ୍ଷ ଲକ୍ଷ ଲୋକ ଆହତ ହୋଇଛନ୍ତି। ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ବର୍ତ୍ତମାନ ବିଜେପି ଓ ଶିବସେନା ଏହି ଭୋଟରଙ୍କୁ ରଗାଇବାକୁ ଚାହୁଁ ନାହାନ୍ତି । ବିରୋଧୀଦଳ ଟାର୍ଗେଟ କରିବା ପରେ ମଧ୍ୟ ଶିବସେନା ଏବଂ ଏକନାଥ ସିନ୍ଦେଙ୍କ ନେତୃତ୍ବାଧୀନ ବିଜେପି ସରକାର ଏହି ପ୍ରସଙ୍ଗରେ ନୀରବ ରହିଛନ୍ତି।

ଆଚାର୍ଯ୍ୟ ଧିରେନ୍ଦ୍ର ଶାସ୍ତ୍ରୀଙ୍କ ଏହି ବୟାନ ପରେ ଶିରିଡ଼ି ସମେତ ସମଗ୍ର ରାଜ୍ୟରୁ ତୀବ୍ର ପ୍ରତିକ୍ରିୟା ଆସୁଛି । ଶିରିଡିର ଗ୍ରାମବାସୀ ତଥା ସାଇ ଭକ୍ତମାନେ ଧିରେନ୍ଦ୍ର ଶାସ୍ତ୍ରୀଙ୍କଠାରୁ କ୍ଷମା ଦାବି କରିଛନ୍ତି। ଶିରିଡ଼ି ଗ୍ରାମବାସୀ କହିଛନ୍ତି, ଏକ ନିର୍ଦ୍ଦିଷ୍ଟ ବିଚାରଧାରାର ଲୋକମାନେ ସାଇବାବାଙ୍କ ବିଷୟରେ ସର୍ବଦା ବିବାଦୀୟ ମନ୍ତବ୍ୟ ଦେଉଛନ୍ତି। ସାଇବାବା ଭଗବାନ କି ନୁହଁ ତାହା ଜାଣିବା ପାଇଁ ଆମକୁ ଧିରେନ୍ଦ୍ର ଶାସ୍ତ୍ରୀଙ୍କ ସାର୍ଟିଫିକେଟ୍ ଦରକାର ନାହିଁ |

Exit mobile version