Site icon ଆଜିକାଲି

ପରାଜୟ ସହ ଆଇପିଏଲରୁ ବିଦା ହେଲା ବାଙ୍ଗାଲୋର, ପ୍ଲେ ଅଫରେ ମୁମ୍ବାଇ ଇଣ୍ଡିଆନ୍ସ

ବେଙ୍ଗାଲୁରୁ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ)-୨୦୨୩ରେ ରବିବାର ୭୦ତମ ଗୁରୁତ୍ଵପୂର୍ଣ୍ଣ ମୁକାବିଲାରେ ଗୁଜରାଟ୍ ୬ ଓ୍ଵିକେଟ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ହରାଇଛି। ପରାଜୟ ସହ ବାଙ୍ଗାଲୋରକୁ ଶକ୍ତ ଧକ୍କା ଲାଗିବା ସହ ଦଳ ଆଇପିଏଲ୍ ୨୦୨୩ରୁ ବାଦ୍ ପଡ଼ିଛି। ଅନ୍ୟପଟେ ଗୁଜରାଟ୍‌ର ବିଜୟ ସହ ଚତୁର୍ଥ ଦଳ ଭାବେ ପ୍ଲେ ଅଫରେ ପହଞ୍ଚି ପାରିଛି ୫ ଥରର ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ। ପ୍ରଥମେ ବ୍ୟାଟିଂ କରି ବାଙ୍ଗାଲୋର ବିରାଟ କୋହଲିଙ୍କ ଅପରାଜିତ ୧୦୧ ରନର ଶତକୀୟ ଇନିଂସ ବଳରେ ୫ ଓ୍ଵିକେଟ୍ ହରାଇ ୧୯୭ ରନ କରିଥିଲା। ଜବାବରେ ଡିଫେଣ୍ଡିଂ ଚାମ୍ପିଅନ ଗୁଜରାଟ୍ ଶୁଭମନ ଗିଲ୍‌ଙ୍କ ଅପରାଜିତ ୧୦୪ ରନ ଏବଂ ବିଜୟ ଶଙ୍କରଙ୍କ ୫୩ ରନ ବଳରେ ୧୯.୧ ଓଭରରେ ୪ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ଗିଲ୍ ଏବଂ ଶଙ୍କର ୧୨୩ ରନ ଯୋଡ଼ି ଦଳ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏଥିସହ ୧୪ଟି ଲିଗ୍‌ ମ୍ୟାଚ୍‌ରୁ ୧୦ ବିଜୟ ସହ ୨୦ ପଏଣ୍ଟ ହାସଲ କରିଛି ଗୁଜରାଟ୍।

୧୯୮ ରନର ବିଜୟ ଲକ୍ଷ୍ୟ ପିଚା କରିଥିବା ଗୁଜରାଟ୍‌ ଟାଇଟନ୍ସ ୨୫ ରନ ସ୍କୋରରେ ପ୍ରଥମ ଓ୍ଵିକେଟ୍ ହରାଇଥିଲା। ଋଦ୍ଧିମାନ ଶାହ ୧୨ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ଇନଫର୍ମ ବ୍ୟାଟର ଶୁଭମନ ଗିଲ୍ ଏବଂ ବିଜୟ ଶଙ୍କର ଦଳର ଇନିଂସ ସମ୍ଭାଳିଥିଲେ। ଦୁଇ ବ୍ୟାଟର ପ୍ରଥମ କ୍ରିଜରେ ସେଟ୍ ହେବା ପର୍ଯ୍ୟନ୍ତ ଧୈର୍ଯ୍ୟର ସହ ବ୍ୟାଟିଂ କରିଥିଲେ। ଏହା ପରେ ଦ୍ରୁତ ବ୍ୟାଟିଂ କରିଥିଲେ। ଏହି କ୍ରମରେ ଶୁଭମନ ଗିଲ୍ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଦୁଇ ବ୍ୟାଟର ଆରସିବି ବୋଲରଙ୍କୁ ପ୍ରହାର କରି ଦ୍ଵିତୀୟ ଓ୍ଵିକେଟ୍‌ରେ ଶତକୀୟ ଭାଗିଦାରୀ ଯୋଡ଼ିଥିଲେ। ବିଜୟ ଶଙ୍କର ମଧ୍ୟ ନିଜର ଆକର୍ଷଣୀୟ ଅର୍ଦ୍ଧଶତକ ପୂରଣ କରିଥିଲେ। ଶେଷରେ ୧୫ତମ ଓଭରରେ ଏହି ଯୋଡ଼ି ଭାଙ୍ଗିଥିଲା। ବିଜୟ ଶଙ୍କର ୩୫ ବଲ୍‌ରୁ ୭ ଚୌକା ଏବଂ ୨ ଛକା ସହ ୫୩ ରନ କରି ଆଉଟ୍ ହୋଇଥିଲେ। ହେଲେ ଗିଲ୍ ଏବଂ ବିଜୟ ଦ୍ଵିତୀୟ ଓ୍ଵିକେଟ୍‌ରେ ୧୨୩ ରନ ଯୋଡ଼ି ଗୁଜରାଟ୍ ବିଜୟର ମୂଳଦୁଆ ପକାଇଥିଲେ।

ଏହା ପରେ ଦାସୁନ ଶନାକା ଖାତା ଖୋଲି ପାରିନଥିଲେ। ଶେଷ ଆଡ଼କୁ ମ୍ୟାଚ୍ ରୋମାଞ୍ଚକର ହୋଇଥିଲା। ଡେଭିଡ୍ ମିଲର ୬ ରନ କରି ଆଉଟ୍ ହୋଇଥିଲେ। ଅନ୍ୟପଟେ ଗିଲ୍‌ ନିଜର ଚମତ୍କାର ବ୍ୟାଟିଂ ଜାରି ରଖି ଚଳିତ ଆଇପିଏଲ୍‌ରେ ଦ୍ଵିତୀୟ ଶତକ ହାସଲ କରି ଗୁଜରାଟକୁ ୬ ଓ୍ଵିକେଟରେ ବିଜୟୀ କରାଇଛନ୍ତି। ଶେଷରେ ଗୁଜରାଟ୍ ଗିଲ୍‌ଙ୍କ ୧୦୪ ରନ ଅପରାଜିତ ଇନିଂସ ବଳରେ ୧୯.୧ ଓଭରରେ ୪ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି।

ପ୍ଲେ ଅଫ ଲାଇନ୍ ଚୂଡାନ୍ତ :

ପ୍ରଥମ କ୍ଵାଲିଫାୟର- ଗୁଜରାଟ୍ ଟାଇଟନ୍ସ ବନାମ ଚେନ୍ନଇ ସୁପର କିଙ୍ଗ୍ସ, ମେ ୨୩
ଏଲିମିନେଟର- ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ବନାମ ମୁମ୍ବାଇ ଇଣ୍ଡିଆନ୍ସ, ମେ ୨୪
ଦ୍ଵିତୀୟ କ୍ଵାଲିଫାୟର- ପ୍ରଥମ କ୍ଵାଲିଫାୟରର ପରାଜିତ ଦଳ ବନାମ, ମେ ୨୬
ଫାଇନାଲ୍- ମେ ୨୮

Exit mobile version