Site icon ଆଜିକାଲି

ହାରିଲା ବାଂଲାଦେଶ, ସେମିଫାଇନାଲରେ ପାକିସ୍ତାନ

ଆଡିଲେଡ୍‌ : ଚଳିତ ଟି-୨୦ ବିଶ୍ୱକପ୍‌ରେ ଚତୁର୍ଥ ଟିମ୍ ଭାବେ ସେମି ଫାଇନାଲରେ ପାକିସ୍ତାନ। ରବିବାର ଆଡିଲେଡ୍‌ରେ ଖେଳା ଯାଇଥିବା ବାଂଲାଦେଶ ବିପକ୍ଷରେ ଚାଲିଥିବା ସଂଘଷପୂର୍ଣ୍ଣ ମ୍ୟାଚ୍‌ରେ ବାଜି ମାରିଲା ପାକିସ୍ତାନ । ବାଂଲାଦେଶକୁ ୫ ଓ୍ୱିକେଟ୍‌ରେ ହରାଇ ପାକିସ୍ତାନ ସେମି ଫାଇନାଲରେ ପହଞ୍ଚିଛି । ଏହାସହିତ ଟି-୨୦ ବିଶ୍ୱକପ୍‌ରୁ ବିଦା ହୋଇଛି ବାଂଲାଦେଶ ।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ବାଂଲାଦେଶ । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ମାତ୍ର ୧୨୭ ରନ୍ କରିବାକୁ ସମର୍ଥ ହୋଇଥିଲା। କିନ୍ତୁ ଦଳକୁ ଲାଗିଥିଲା ପ୍ରାଥମିକ ଝଟ୍‌କା । ଓପନର ଲିଟନ୍‌ ଦାସ ୧୦ ରନ୍‌ କରି ପ୍ୟାଭିଲିୟନ ଫେରିଥିଲେ । ଏହାପରେ ଲଗାତର ଅନ୍ତରାଳରେ ଓ୍ୱିକେଟ୍‌ ପଡିଚାଲିଥିଲା । କିନ୍ତୁ ଗୋଟିଏ ପଟେ କ୍ରିଜ୍‌ରେ ଜମି ରହିଥିଲେ ନଜମୁଲ ହୁସେନ ଶାନ୍ତୋ । ସେ ୪୮ ବଲ୍‌ରେ ୫୪ ରନ୍ କରିଥିଲେ ହେଁ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ବଡ଼ ସ୍କୋର କରିବାକୁ ସଫଳ ହୋଇନଥିଲେ। ଏହାପଛକୁ ଅଫିଫ୍‌ ହୁସେନ୍‌ (ଅପରାଜିତ) ୨୪ ରନ୍‌, ସୌମ୍ୟ ସରକାର ୨୦ ଓ ଲିଟନ ଦାସ ୧୦ ରନ୍‌ କରିଥିଲେ । ଆଉ କୌଣସି ଖେଳାଳି ୨ ଅଙ୍କ ଛୁଇଁପାରି ନଥିଲେ । ସେହିପରି ଅଧିନାୟକ ଶକିବ ଅଲ୍‌ ହସନ ଶୂନରେ ଆଉଟ୍ ହୋଇଥିଲେ। ପାକିସ୍ତାନ ପକ୍ଷରୁ ସାହିନ୍‌ ଆଫ୍ରିଦି ୪ ଓ୍ୱିକେଟ୍‌ ନେଇଥିବା ବେଳେ ସାଦାବ ଖାନ୍‌ ୨ଟି ଓ୍ୱିକେଟ୍‌ ନେଇଛନ୍ତି । ହରିସ ରୌଫ ଓ ଇଫ୍‌ତିଖର ଅହମ୍ମଦ ଗୋଟିଏ ଲେଖାଏଁ ଓ୍ୱିକେଟ୍‌ ନେଇଛନ୍ତି ।

ସେପଟେ ୧୨୮ ରନ୍‌ ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲେ ପାକିସ୍ତାନୀ ଖେଳାଳି । ଓପନର ରିଜଓ୍ୱାନ୍‌ ଓ ବାବର ଆଜମ୍‌ ଦଳ ପାଇଁ ଭଲ ଆରମ୍ଭ କରିଥିଲେ । ପ୍ରଥମ ୧୦ ଓଭରରେ ୫୭ ରନ୍‌ କରିଥିଲେ ଉଭୟ ବ୍ୟାଟର୍‌ । ଏହାପରେ ହିଁ ଲାଗିଥିଲା ପାକିସ୍ତାନକୁ ପ୍ରଥମ ଝଟ୍‌କା । ଅଧିନାୟକ ବାବର ୨୫ ରନ୍‌ କରି ଆଉଟ୍‌ ହୋଇଥିଲେ । ଏହାପରେ କିଛି ରନ୍‌ ବ୍ୟବଧାନ୍‌ରେ ରିଜଓ୍ୱାନ୍‌ ମଧ୍ୟ ଆଉଟ୍‌ ହୋଇଥିଲେ । ପାକିସ୍ତାନ ଟିମ୍ ୧୮ ଓଭର ଗୋଟିଏ ବଲ୍‌ରେ ବାଂଲାଦେଶ ଦେଇଥିବା ଟାର୍ଗେଟକୁ ହାସଲ୍‌ କରିନେଇଛି । ଏଥିରେ ମହମ୍ମଦ ହାରିସ୍‌ଙ୍କ ୩୧ ରନ୍‌, ସାନ୍‌ ମସୁଦ୍‌ଙ୍କ ୨୪ ରନ୍‌, ନଓ୍ୱାଜ୍‌ଙ୍କ ୪ରନ୍‌ ରହିଛି । ପାକିସ୍ତାନ ଟିମ୍‌ର ଏହି ବିଜୟ ଯୋଗୁଁ ସେମିଫାଇନାଲ୍‌ ରାସ୍ତା ଏବେ ସଫା ହୋଇଯାଇଛି । ଟିମ୍‌ ଏବେ ସେମିଫାଇନାଲରେ ପ୍ରବେଶ କରିଛି । ବାଂଲାଦେଶ ପକ୍ଷରୁ ନସୁମ ଅହମଦ, ଶକିବ ଅଲ୍ ହସନ, ମୁସ୍ତାଫିଜୁର ରହମାନ ଓ ଇବାଦତ ହୁସେନ ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି।

Exit mobile version