Site icon ଆଜିକାଲି

ଏସିଆ କପ୍‌ ୨୦୨୩ରେ ଆଜି ଶ୍ରୀଲଙ୍କାକୁ ଭେଟିବ ବାଂଲାଦେଶ

କାଣ୍ଡି : ଏସିଆ କପ୍‌ ୨୦୨୩ରେ ଗୁରୁବାର ଖେଳାଯିବ ଟୁର୍ଣ୍ଣାମେଣ୍ଟର ୨ୟ ମ୍ୟାଚ୍‌ । ଘରୋଇ ଶ୍ରୀଲଙ୍କା ଓ ବାଂଲାଦେଶ ପରସ୍ପରକୁ ଭେଟିବେ। ଉଭୟ ଦଳ ଆହତ ସମସ୍ୟା ଦେଇ ଗତି କରୁଛନ୍ତି । କିଛି ଅଭିଜ୍ଞ ଖେଳାଳିଙ୍କ ବିନା ଉଭୟ ଦଳ ଏସିଆ କପ୍‌ ଖେଳିବାକୁ ଯାଉଛନ୍ତି । ତେବେ ଡିଫେଣ୍ଡିଂ ଚାମ୍ପିଅନ୍‌ ଶ୍ରୀଲଙ୍କା ଦଳ ଘରୋଇ ଗ୍ରାଉଣ୍ଡ୍‌ ଓ ପରିବେଶର ଫାଇଦା ଉଠାଇ ବିଜୟ ଖାତା ଖୋଲିବାକୁ ଲକ୍ଷ୍ୟ ରଖିଛି । ଅନ୍ୟପଟେ ବାଂଲାଦେଶ ମଧ୍ୟ କଡା ଟକ୍କର ଦେବାକୁ ପ୍ରସ୍ତୁତ ।

ଖବର ଅନୁଯାୟୀ, ୱାନିଣ୍ଡୁ ହସରଙ୍ଗା, ଦୁଷ୍ମନ୍ତ ଚାମୀରା, ଦିଲଶାନ ମଦୁଶଙ୍କା ଓ ଲାହିରୁ କୁମାରା ଆହତ ହୋଇ ଏସିଆ କପ୍‌ରୁ ବାଦ ପଡ଼ିଛନ୍ତି । ଫଳରେ ଶ୍ରୀଲଙ୍କା ଦଳର ବୋଲିଂ ବିଭାଗ ଦୁର୍ବଳ ହୋଇପଡ଼ିଛି । କିନ୍ତୁ ବ୍ୟାଟିଂ ବିଭାଗ ଶକ୍ତିଶାଳୀ ରହିଛି । ଦୀର୍ଘ ୨ ବର୍ଷ ପରେ ଦଳକୁ ଫେରିଛନ୍ତି ବିସ୍ଫୋରକ ବ୍ୟାଟର କୁଶଲ ପେରେରା । ଦିମୁଥ କରୁଣାରତ୍ନେ, କୁଶଲ ମେଣ୍ଡିସ, ଚରିଥ ଆଶାଲଙ୍କା ପ୍ରମୁଖ ଫର୍ମରେ ରହିଛନ୍ତି । ସେପଟେ ବାଂଲାଦେଶ ଦଳରୁ ଇବାଦତ ହୋସେନ ଓ ଲିଟନ ଦାସ ଆହତ ହୋଇ ବାଦ ପଡ଼ିଛନ୍ତି । ମୁସ୍ତାଫିଜୁର ରେହମାନଙ୍କର ମଧ୍ୟ ଫିଟ୍‌ନେସ୍‌ ସମସ୍ୟା ରହିଛି । ଆଣ୍ଠୁରେ ଯନ୍ତ୍ରଣା ଥିବାରୁ ଗୁରୁବାର ମ୍ୟାଚ୍‌ ଖେଳିବା ନେଇ ଆଶଙ୍କା ସୃଷ୍ଟି ହୋଇଛି ।

ବାଂଲାଦେଶ ବିପକ୍ଷରେ ଶ୍ରୀଲଙ୍କା ୮୧.୬୩ ପ୍ରତିଶତ ମ୍ୟାଚ୍‌ ଜିତିବାର ରେକର୍ଡ ରହିଛି । ମାତ୍ର ଶେଷ ୪ଟି ମ୍ୟାଚ୍‌ରେ ବାଂଲାଦେଶ ବିଜୟୀ ହୋଇଛି। କାଣ୍ଡି ସ୍ଥିତ ପାଲେକେଲି ଷ୍ଟାଡିୟମ୍‌ରେ ଉଭୟ ଦଳ ପରସ୍ପରକୁ ଥରେ ମାତ୍ର ଭେଟିଛନ୍ତି। ୨୦୧୩ରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ ବାଂଲାଦେଶ ବିଜୟ ହାସଲ କରିଥିଲା।

ସମ୍ଭାବ୍ୟ ଦଳ

ଶ୍ରୀଲଙ୍କା : ଦିମୁଥ କରୁଣାରତ୍ନେ, ପଥୁମ ନିଶଙ୍କା, କୁଶଲ ମେଣ୍ଡିସ, ସଦିରା ସମରବିକ୍ରମା, ଚରିଥ ଆଶାଲଙ୍କା, ଧନଞ୍ଜୟ ଡି ସିଲଭା, ଡାସୁନ ଶଣକା, ଦୁଶନ ହେମଥ/ଦୁନିଥ ୱିଲାଲେଜ, ମହୀଶ ତୀକ୍ଷଣା, ବିନୁରା ଫର୍ଣ୍ଣାଣ୍ଡୋ, କାସୁନ ରଜିଥା ।

ବାଂଲାଦେଶ: ମହମ୍ମଦ ନଇମ, ତନଜିଦ ହାସାନ/ଆନାମୁଲ ହକ୍‌, ନଜମୁଲ ହୋସେନ ଶାନ୍ତୋ, ସାକିବ ଅଲ୍‌ ହାସନ(ଅଧିନାୟକ), ତୋୱିଦ ହ୍ରିଦୟ, ମୁସଫିକର ରହିମ, ଅଫିଫ ହୋସେନ, ମେହେଦି ହାସାନ ମିରାଜ, ଟସ୍କିନ ଅହମ୍ମଦ, ହାସାମ ମାମୁଦ, ଶରିଫୁଲ ଇସଲାମ ।

Exit mobile version