Site icon ଆଜିକାଲି

ଜାଲିଆତି ଅଭିଯୋଗ ସତ୍ତ୍ବେ ଆଦାନୀ ଗ୍ରୁପକୁ ଋଣ ଦେବାକୁ ପ୍ରସ୍ତୁତ ଏହି ସରକାରୀ ବ୍ୟାଙ୍କ୍

ନୂଆଦିଲ୍ଲୀ: ଆମେରିକୀୟ ରିସର୍ଚ୍ଚ ସଂସ୍ଥା ହିଣ୍ଡେନବର୍ଗ ରିପୋର୍ଟ ପରେ ଆଦାନୀ ଗ୍ରୁପ୍‌ର ଅଡୁଆ ବଢ଼ିବାରେ ଲାଗିଛି । ଏହି ସମୟରେ ଭାରତର ଏକ ବଡ଼ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଆଦାନୀ ଗ୍ରୁପକୁ ନେଇ ବଡ଼ ଘୋଷଣା କରିଛି । ହିଣ୍ଡେନବର୍ଗ ରିପୋର୍ଟରେ ଜାଲିଆତି ଅଭିଯୋଗ ସତ୍ତ୍ବେ ଆଦାନୀ ଗ୍ରୁପକୁ ୠଣ ଦିଆଯିବ ବୋଲି ବ୍ୟାଙ୍କ୍ ଅଫ୍ ବରୋଦା ଘୋଷଣା କରିଛି | ଏହି ବ୍ୟାଙ୍କ୍ କହିଛି ଯେ ଯଦି ଆଦାନୀ ଗ୍ରୁପ୍ ଋଣ ଚାହୁଁଛି, ତେବେ ଏହା ବିଚାର କରାଯିବ ।

ବ୍ୟାଙ୍କ ଅଫ୍ ବରୋଦା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ପରିଚାଳନା ନିର୍ଦ୍ଦେଶକ ସଞ୍ଜୀବ ଚଢ଼ା କହିଛନ୍ତି ଯେ ଯଦି ଆଦାନୀ ଗ୍ରୁପ୍ ବ୍ୟାଙ୍କର ଅଣ୍ଡରଟେକିଂ ମାନଦଣ୍ଡ ପୂରଣ କରେ ତେବେ ଆମେ ସେମାନଙ୍କୁ ଅଧିକ ଋଣ ଦେବାକୁ ପ୍ରସ୍ତୁତ। ଆଦାନୀ ଗ୍ରୁପ୍‌ର ଷ୍ଟକ୍ ହ୍ରାସ ନେଇ ଆମେ ଚିନ୍ତିତ ନୋହୁଁ ।

ବ୍ଲୁମବର୍ଗ ରିପୋର୍ଟ ଅନୁଯାୟୀ ବ୍ୟାଙ୍କ ଅଫ୍ ବରୋଦା କହିଛି ଯେ ଏପରି ଭଲ ଓ ଖରାପ ଦିନ ଆସେ। ପୂର୍ବରୁ ଆଦାନୀ ଗ୍ରୁପକୁ ଦିଆଯାଇଥିବା ଋଣ ନେଇ ବ୍ୟାଙ୍କ ଚିନ୍ତିତ ନୁହେଁ। ଏହାଛଡ଼ା ଯଦି ନିୟମ ଅନୁଯାୟୀ ଆଦାନୀ ଗ୍ରୁପ୍ ଆବେଦନ କରେ, ତେବେ ବ୍ୟାଙ୍କ ଏହାକୁ ଅଧିକ ଋଣ ଦେବାକୁ ବିଚାର କରିବ | ତେବେ ଆଦାନୀ ଗ୍ରୁପକୁ ବ୍ୟାଙ୍କର ଓଭରଅଲ ଏକ୍ସପୋଜର ବିଷୟରେ ସେ କିଛି ପ୍ରକାଶ କରିବାକୁ ମନା କରି ଦେଇଛନ୍ତି।

ଏହି ମାସ ଆରମ୍ଭରେ ମଧ୍ୟ ବ୍ୟାଙ୍କ ଅଫ୍ ବରୋଦା କହିଥିଲା ଯେ ଆଦାନୀ ଗ୍ରୁପକୁ ଦିଆଯାଇଥିବା ଋଣ ନେଇ କୌଣସି ଚିନ୍ତା ନାହିଁ। କାରଣ ବାଲାନ୍ସ ସିଟ୍ ଅନୁଯାୟୀ, ଗତ ତିନିବର୍ଷ ମଧ୍ୟରେ ଆଦାନୀ ଗ୍ରୁପକୁ ଏକ୍ସପୋଜର ଅର୍ଥାତ୍ ଦିଆଯାଉଥିବା ୠଣ ପରିମାଣ ସମୟ କ୍ରମେ ହ୍ରାସ ପାଇଛି |

ଉଲ୍ଲେଖଯୋଗ୍ୟ, ଆଦାନୀ ଗ୍ରୁପ୍‌ର ସେୟାରରେ ବଡ଼ ଧରଣର ହ୍ରାସ ଯୋଗୁଁ ନିବେଶକମାନଙ୍କ ସମସ୍ୟା ବଢ଼ିଯାଇଛି । ହିଣ୍ଡେନବର୍ଗ ରିପୋର୍ଟକୁ ନେଇ ଭାରତୀୟ ରାଜନୀତିରେ ମଧ୍ୟ ଝଡ଼ ସୃଷ୍ଟି ହୋଇଛି । ବିରୋଧୀଦଳ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସରକାର ଆଦାନୀ ଗ୍ରୁପକୁ ଅହେତୁକ ଅନୁଗ୍ରହ ଦେଖାଉଛନ୍ତି ଓ ଏଥିପାଇଁ ସରକାରୀ ବ୍ୟାଙ୍କ ଓ ଏଲଆଇସି ଟଙ୍କା ବୁଡ଼େଇ ଦେଲେଣି ବୋଲି ଅଭିଯୋଗ କରିଛନ୍ତି ।‌ ବିରୋଧୀଙ୍କ ଅଭିଯୋଗ ପରେ ବ୍ୟାଙ୍କ ଗୁଡ଼ିକୁ ଏନେଇ ସ୍ପଷ୍ଟୀକରଣ ଦେଇଛନ୍ତି । ସେପଟେ ଏଲଆଇସି ଦାବି କରିଛି ଯେ ବର୍ତ୍ତମାନ ସୁଦ୍ଧା ଆଦାନୀ ଗ୍ରୁପରେ ନିବେଶରୁ ଲାଭ ମିଳିଛି ।

ଆଦାନୀ ଗ୍ରୁପରେ ଜାମ୍ମୁ କାଶ୍ମୀର ବ୍ୟାଙ୍କ ବର୍ତ୍ତମାନ ସୁଦ୍ଧା ୨୫୦ କୋଟି ଟଙ୍କା ୠଣ ଦେଇଛି । ଦେଶର ବୃହତ୍ତମ ବ୍ୟାଙ୍କ ଏସବିଆଇର ଆଦାନୀ ଗୋଷ୍ଠୀକୁ ପ୍ରାୟ ୨୭,୦୦୦ କୋଟି ଟଙ୍କା ୠଣ ପ୍ରଦାନ କରିଛି । ଆଦାନୀ ଗ୍ରୁପରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଏଅ୍ସପୋଜର ହେଉଛି ୭୦୦୦ କୋଟି ଟଙ୍କା । ଏଲଆଇସି କହିଛି ଯେ ଆଦାନୀ ଗ୍ରୁପରେ ଏଯାବତ୍ ୩୬,୪୭୪.୭୮ କୋଟି ଟଙ୍କା ନିବେଶ କରାଯାଇଛି ଏବଂ ଏହା ଇକ୍ୱିଟି ଆକାରରେ ଅଛି।

Exit mobile version