Site icon ଆଜିକାଲି

ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ କୋଚ୍ ରହିବେ ଦ୍ରାବିଡ, କାର୍ଯ୍ୟକାଳ ବୃଦ୍ଧି କଲା ବିସିସିଆଇ

ନୂଆଦିଲ୍ଲୀ: ବିସିସିଆଇ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ବୃଦ୍ଧି କରିଛି । ଦିନିକିଆ ବିଶ୍ୱକପ ୨୦୨୩ ପରେ ତାଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା | ହେଲେ ଭାରତୀୟ ସିନିୟର ପୁରୁଷ ଦଳର ମୁଖ୍ଯ କୋଚ୍ ଭାବେ ଦ୍ରାବିଡଙ୍କୁ ବଜାୟ ରଖିବାକୁ ନିଷ୍ପତ୍ତି ନେଇଛି ବିସିସିଆଇ । ଦ୍ରାବିଡଙ୍କ ସହ ଅନ୍ୟ ସହାୟକ କୋଚଙ୍କ କାର୍ଯ୍ୟକାଳ ମଧ୍ୟ ବୃଦ୍ଧି କରାଯାଇଛି। ମୁଖ୍ୟ କୋଚ୍ ଦ୍ରାବିଡ ଓ ସପୋର୍ଟ ଷ୍ଟାଫଙ୍କ କାର୍ଯ୍ୟକାଳ କେତେ ଦିନ ବୃଦ୍ଧି କରାଯାଇଛି ତାହା ବିସିସିଆଇ ସୂଚନା ଦେଇନାହିଁ।

ବିସିସିଆଇ ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି, ନିକଟରେ ଶେଷ ହୋଇଥିବା ଦିନିକିଆ ବିଶ୍ୱକପ ୨୦୨୩ ପରେ ଚୁକ୍ତି ଶେଷ ହେବା ପରେ ବିସିସିଆଇ ଶ୍ରୀ ରାହୁଲ ଦ୍ରାବିଡଙ୍କ ସହ ଏକ ଫଳପ୍ରଦ ଆଲୋଚନା କରିଥିଲା । ସର୍ବସମ୍ମତି କ୍ରମେ ଦ୍ରାବିଡଙ୍କ ଚୁକ୍ତି ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି।

୨୦୨୧ ଟି-୨୦ ବିଶ୍ୱକପ ପରେ ରବି ଶାସ୍ତ୍ରୀଙ୍କ ସ୍ଥାନରେ ରାହୁଲ ଦ୍ରାବିଡଙ୍କୁ କୋଚ୍ କରାଯାଇଥିଲା। ଭାରତୀୟ ଦଳର କୋଚ୍ ଭାବେ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଦୁଇ ବର୍ଷ ଥିଲା, ଯାହା ସଦ୍ୟ ସମାପ୍ତ ଦିନିକିଆ ବିଶ୍ୱକପ ପରେ ଶେଷ ହୋଇଥିଲା। ଦ୍ରାବିଡଙ୍କ ତତ୍ବାବଧାନରେ ଭାରତ ଦୁଇଟି ଆଇସିସି ଟୁର୍ଣ୍ଣାମେଣ୍ଟ ଫାଇନାଲ୍ ଓ ଗୋଟିଏ ସେମିଫାଇନାଲ ଖେଳିଛି ।

FacebookTwitterLinkedinWhatsapp
Exit mobile version