Site icon ଆଜିକାଲି

ଆଇପିଏଲ ଖେଳାଳିଙ୍କ ପାଇଁ ବିସିସିଆଇର ଐତିହାସିକ ଘୋଷଣା, ଖେଳାଳିଙ୍କୁ ମିଳିବ ଅଧିକ ୧ କୋଟି ୫ ଲକ୍ଷ ଟଙ୍କା

ନୂଆଦିଲ୍ଲୀ : ଆଇପିଏଲର ୨୦୨୫ ମେଗା ଅକ୍ସନ ପୂର୍ବରୁ ଐତିହାସିକ ନିଷ୍ପତ୍ତି ନେଇଛି ବିସିସିଆଇ। ପ୍ରଥମଥର ପାଇଁ ଆଇପିଏଲ ଖେଳୁଥିବା କ୍ରିକେଟରଙ୍କୁ ମିଳିବ ମ୍ୟାଚ୍‌ ଫି’। କ୍ରିକେଟରମାନେ ଫ୍ରାଞ୍ଚାଇଜଙ୍କ ଠାରୁ ପାଇବାକୁ ଥିବା ଚୁକ୍ତି ଅର୍ଥ ବ୍ୟତୀତ ସେମାନଙ୍କୁ ମ୍ୟାଚ୍‌ ଫି’ ବାବଦରେ ମଧ୍ୟ ଅତିରିକ୍ତ ଟଙ୍କା ମିଳିବ। ଜଣେ ଖେଳାଳି ପ୍ରତି ମ୍ୟାଚ୍‌ ପିଛା ଅତିରିକ୍ତ ୭.୫ ଲକ୍ଷ ଟଙ୍କା ଫି’ ଆକାରରେ ପାଇବେ। ଏହାର ଅର୍ଥ ଯଦି ଜଣେ ଖେଳାଳି ଆଇପିଏଲର ସମସ୍ତ ଲିଗ ମ୍ୟାଚ୍‌ ଖେଳନ୍ତି, ତା’ହେଲେ ତାଙ୍କୁ ଚୁକ୍ତି ବ୍ୟତୀତ ଆଉ ୧.୦୫ କୋଟି ଟଙ୍କା ମିଳିବ। ଏହି ଐତିହାସିକ ନିଷ୍ପତ୍ତି ସମ୍ପର୍କରେ ବିସିସିଆଇର ସମ୍ପାଦକ ଜୟ ଶାହ ସୂଚନା ଦେଇଛନ୍ତି। 

ସେ କହିଛନ୍ତି, ଭାରତୀୟ କ୍ରିକେଟରମାନଙ୍କ ଉନ୍ନତ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଏହି ଐତିହାସିକ ପଦକ୍ଷେପ ଗ୍ରହଣ କରାଯାଇଛି। ଶ୍ରୀ ଶାହା କହିଛନ୍ତି, ଗୋଟିଏ ସିଜନରେ ସମସ୍ତ ଲିଗ୍ ମ୍ୟାଚ୍ ଖେଳୁଥିବା ଜଣେ କ୍ରିକେଟରଙ୍କୁ ତାଙ୍କ ଚୁକ୍ତି ରାଶି ବ୍ୟତୀତ ୧ କୋଟି ୫ ଲକ୍ଷ ଟଙ୍କା ମିଳିବ। ପ୍ରତ୍ୟେକ ଫ୍ରାଞ୍ଚାଇଜ୍ ସିଜନ ପାଇଁ ମ୍ୟାଚ୍ ଫି’ ବାବଦରେ ୧୨.୬୦ କୋଟି ଟଙ୍କା ଆବଣ୍ଟନ କରିବେ। ଆଇପିଏଲ୍ ଏବଂ ଆମ ଖେଳାଳିଙ୍କ ପାଇଁ ଏହା ଏକ ନୂଆ ଯୁଗ ବୋଲି ଜୟ ଶାହା କହିଛନ୍ତି।

ବର୍ତ୍ତମାନ ବିସିସିଆଇ ଭାରତୀୟ ଖେଳାଳିଙ୍କୁ ଟେଷ୍ଟ ମ୍ୟାଚ୍‌ ପିଛା ୧୫ ଲକ୍ଷ, ଦିନିକିଆ ପାଇଁ ୬ ଲକ୍ଷ ଓ ଟି-୨୦ ପାଇଁ ୩ ଲକ୍ଷ ଟଙ୍କା ଲେଖାଏ ଦେଉଛି। କିନ୍ତୁ ଆଇପିଏଲର ପ୍ରତିଟି ମ୍ୟାଚ୍‌ ଭାରତୀୟ ଖେଳାଳି ଦିନିକିଆ ଠାରୁ ମଧ୍ୟ ଅଧିକ ଟଙ୍କା ପାଇବେ। ଅନ୍ୟପକ୍ଷରେ ୧୦ ଆଇପିଏଲ ପ୍ରାଞ୍ଚାଇଜ ମେଗା ଅକ୍ସନ ପୂର୍ବରୁ ନିଜ ସହ ସର୍ବାଧିକ ୫ ଜଣ ଖେଳାଳିଙ୍କୁ ରଖି ପାରିବେ। ସେମାନଙ୍କ ପାଖରେ ଗୋଟିଏ ରାଇଟ ଟୁ ମ୍ୟାଚ୍‌ କାର୍ଡ ବିକଳ୍ପ ମଧ୍ୟ ରହିବ।

Exit mobile version