Site icon ଆଜିକାଲି

ଦିଲ୍ଲୀ ଯିବା ପୂର୍ବରୁ ଶିବକୁମାରଙ୍କ ବୟାନ ବଢ଼ାଇଲା ଉତ୍କଣ୍ଠା, କହିଲେ ପିଲା ଯାହା ଚାହୁଁଛି ମା’ ତାହା ଦେବ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ସସପେନ୍ସ ମଧ୍ୟରେ କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ ଡିକେ ଶିବକୁମାର ଆଜି ଦିଲ୍ଲୀ ଯାଉଛନ୍ତି । ଆଜି କର୍ଣ୍ଣାଟକରେ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ସେନେଇ ନିଷ୍ପତ୍ତି ଚୂଡାନ୍ତ ହେବା ସମ୍ଭାବନା ରହିଛି । ଦିଲ୍ଲୀ ଯିବା ପୂର୍ବରୁ ଶିବକୁମାରଙ୍କ ବୟାନ ଉତ୍କଣ୍ଠା ବଢ଼ାଇ ଦେଇଛି । ବାଙ୍ଗାଲୋର ବିମାନବନ୍ଦରରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଶିବକୁମାର କହିଛନ୍ତି ଯେ କଂଗ୍ରେସ ମୋର ମା’ ଭଳି । ପିଲା କ’ଣ ଚାହୁଁଛି ମା’ ତାହା ଜାଣିଛି ।

ମୁଖ୍ୟମନ୍ତ୍ରୀ ପଦକୁ ନେଇ ସିଦ୍ଧରମୈୟା ଓ ତାଙ୍କ ମଧ୍ୟରେ ଛକାପଞ୍ଝା ମଧ୍ୟରେ ଶିବକୁମାର କହିଛନ୍ତି ଯେ ତାଙ୍କ ଦଳ ଏକଜୁଟ୍ ଅଛି । ସେ କୌଣସି ପ୍ରକାରର ବ୍ଲାକମେଲ କରିବେନି ।

ଉଲ୍ଲେଖଯୋଗ୍ୟ, ମୁଖ୍ୟମନ୍ତ୍ରୀ ପଦ ପାଇଁ ମୁଖ୍ୟ ଦାବିଦାର ଭାବେ ବିବେଚିତ ହେଉଥିବା ଶିବକୁମାର ଏବଂ ସିଦ୍ଧରମୈୟାଙ୍କୁ କଂଗ୍ରେସର କେନ୍ଦ୍ରୀୟ ନେତୃତ୍ୱ ଆଲୋଚନା ପାଇଁ ଦିଲ୍ଲୀ ଡକାଇଛନ୍ତି। ସିଦ୍ଧରମୈୟା ଗତକାଲି ଠାରୁ ହିଁ ନିଜ ସମର୍ଥକଙ୍କ ସହ ଦିଲ୍ଲୀରେ ଡେରା ପକାଇଛନ୍ତି । ହେଲେ ଅସୁସ୍ଥତା ଦର୍ଶାଇ କାଲି ଦିଲ୍ଲୀ ଯାଇନଥିଲେ । ଆଜି ସେ ଏକୁଟିଆ ଦିଲ୍ଲୀ ଯାଉଛନ୍ତି ବୋଲି ଗଣମାଧ୍ୟମକୁ କହିଛନ୍ତି ।

ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେବାବେଳେ ଡିକେ ଶିବକୁମାର କହିଛନ୍ତି, ‘ଆମେ ଏକାଠି ଅଛୁ । ଆମର କେବଳ ଗୋଟିଏ ସଂଖ୍ୟା ହେଉଛି ୧୩୫ । ସେମାନେ ମୋତେ ପସନ୍ଦ କରନ୍ତୁ ଅବା ନ‌ କରନ୍ତୁ ମୁଁ ଏଠାରେ କାହାକୁ ଭାଗ କରିବାକୁ ଚାହେଁ ନାହିଁ | ମୁଁ ଜଣେ ଦାୟିତ୍ବବାନ ବ୍ୟକ୍ତି | ମୁଁ ବିଶ୍ବାସ ଘାତକତା କରିବି ନାହିଁ କି ବ୍ଲାକମେଲ କରିବିନି | ଆମେ ଏହି ଦଳ (କଂଗ୍ରେସ) ଗଢିଛୁ, ଆମେ ଏହି ଘର କରିଛୁ। ମୁଁ ଏହାର ଏକ ଅଂଶ… ଜଣେ ମା ନିଜ ପିଲାକୁ ସବୁକିଛି ଦେବ ।”

ମୁଖ୍ୟମନ୍ତ୍ରୀ ପଦ ପାଇଁ ନବ ନିର୍ବାଚିତ ବିଧାୟକଙ୍କ ସହ ଆଲୋଚନା ପରେ କଂଗ୍ରେସର ତିନିଜଣ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଦଳର ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ରିପୋର୍ଟ ଦେଇଛନ୍ତି। ରବିବାର ବେଙ୍ଗାଲୁରୁର ଏକ ହୋଟେଲରେ ଆୟୋଜିତ ବୈଠକରେ କଂଗ୍ରେସ ବିଧାୟକ ଦଳର ନେତା ଚୟନ ନିଷ୍ପତ୍ତି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଉପରେ ଛାଡ଼ି ଦିଆଯାଇଥିଲା ।

ମୁଖ୍ୟମନ୍ତ୍ରୀ ପଦ ପାଇଁ ଶିବକୁମାର ଏବଂ ସିଦ୍ଧରମୈୟା ମଧ୍ୟରେ ଛକାପଞ୍ଝା ଜାରି ରହିଥିବା ବେଳେ ସିଦ୍ଧରମୈୟାଙ୍କ ସପକ୍ଷରେ ପ୍ରାୟ ୯୦ ବିଧାୟକଙ୍କ ସମର୍ଥନ ରହିଥିବା ଦଳୀୟ ସୂତ୍ରରୁ ଜଣାପଡ଼ିଛି । ୨୨୪ ସଦସ୍ୟ ବିଶିଷ୍ଟ ବିଧାନସଭା ପାଇଁ ମେ ୧୦ରେ ଅନୁଷ୍ଠିତ ନିର୍ବାଚନରେ କଂଗ୍ରେସ ୧୩୫ଟି ଆସନ ଜିତି କ୍ଷମତାକୁ ଫେରିଥିଲା।

Exit mobile version