Site icon ଆଜିକାଲି

କଂଗ୍ରେସର ବିଧାୟକ ଦଳ ବୈଠକ ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦ ନେଇ ସିଦ୍ଧରମୈୟା ଓ ଶିବକୁମାର ଗୋଷ୍ଠୀ ମଧ୍ୟରେ ପୋଷ୍ଟର ଓ୍ବାର

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ସ୍ପଷ୍ଟ ବହୁମତ ହାସଲ କରିବା ପରେ ବର୍ତ୍ତମାନ କଂଗ୍ରେସ ଆଗରେ ମୁଖ୍ୟମନ୍ତ୍ରୀ ଚୟନ ନେଇ ବଡ଼ ଚ୍ୟାଲେଞ୍ଜ । ଦଳ ଆଜି ସନ୍ଧ୍ୟାରେ ନବ ନିର୍ବାଚିତ ବିଧାୟକଙ୍କ ବୈଠକ ଡାକିଛି । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନାମ ଚୂଡ଼ାନ୍ତ ହୋଇପାରେ । ମୁଖ୍ୟମନ୍ତ୍ରୀ ପଦ ଦୌଡ଼ରେ ଅଛନ୍ତି ଦଳର ଦୁଇ ବରିଷ୍ଠ ନେତା ସିଦ୍ଧରମୈୟା ଓ ଡିକେ ଶିବକୁମାର । ତେବେ ବିଧାୟକ ଦଳର ବୈଠକ ପୂର୍ବରୁ ସିଦ୍ଧରମୈୟା ଓ ଶିବକୁମାର‌ ଗୋଷ୍ଠୀ ମଧ୍ୟରେ ପୋଷ୍ଟର ଓ୍ବାର୍ ଆରମ୍ଭ ହୋଇଯାଇଛି, ଯାହା କଂଗ୍ରେସ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି ।

ସିଦ୍ଧରମୈୟାଙ୍କ ସମର୍ଥକମାନେ ବେଙ୍ଗାଲୁରୁରେ ଏହି ବରିଷ୍ଠ ନେତାଙ୍କ ବାସଭବନ ବାହାରେ ଏକ ପୋଷ୍ଟର ଲଗାଇ ତାଙ୍କୁ କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ବୋଲି କହିଛନ୍ତି।

ଅନ୍ୟପକ୍ଷରେ ରାଜ୍ୟ କଂଗ୍ରେସ ସଭାପତି ଡିକେ ଶିବକୁମାରଙ୍କ ସମର୍ଥକମାନେ ମଧ୍ୟ ବେଙ୍ଗାଲୁରୁ ସ୍ଥିତ ତାଙ୍କ ବାସଭବନ ବାହାରେ ଏକ ପୋଷ୍ଟର ଲଗାଇ ତାଙ୍କୁ ରାଜ୍ୟର ପରବର୍ତ୍ତୀ ‘ମୁଖ୍ୟମନ୍ତ୍ରୀ’ କରିବାକୁ ଦାବି କରିଛନ୍ତି। ଶିବକୁମାରଙ୍କ ପରିଶ୍ରମ ଯୋଗୁଁ ହିଁ କଂଗ୍ରେସ ବିଧାନସଭା ନିର୍ବାଚନ ଜିତିଲା ବୋଲି ତାଙ୍କ ସମର୍ଥକମାନେ ଦାବି କରିଛନ୍ତି ।

କର୍ଣ୍ଣାଟକ ନିର୍ବାଚନ ଫଳାଫଳରେ କଂଗ୍ରେସ ଦଳ ମୋଟ ୨୨୪ଟି ଆସନରୁ ୧୩୫ଟି ଆସନ ପାଇ ପୂର୍ଣ୍ଣ ବହୁମତ ହାସଲ କରିଛି । ଦଳର ଆସନ ସଂଖ୍ୟା ମଧ୍ୟ ୧୯୮୯ ପରେ ସର୍ବାଧିକ । ଅନ୍ୟପକ୍ଷରେ ବିଜେପି ମାତ୍ର ୬୬ଟି ଆସନ ଜିତିବାକୁ ସକ୍ଷମ ହୋଇଛି। ଏହି ନିର୍ବାଚନରେ ଜେଡିଏସକୁ ମିଳିଛି ମାତ୍ର ୧୯ଟି ସିଟ୍।

କର୍ଣ୍ଣାଟକରେ ଦଳର ବିଜୟ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଜନତା ଓ କର୍ମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଦଳର ବମ୍ପର ବିଜୟ ପରେ ରାହୁଲ ଗାନ୍ଧୀ ବିଜେପିକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ବର୍ତ୍ତମାନ କର୍ଣ୍ଣାଟକରେ ଘୃଣାର ବଜାର ବନ୍ଦ ହୋଇଯାଇଛି ଏବଂ ପ୍ରେମର ଦୋକାନ ଖୋଲିଛି। ସେ କହିଛନ୍ତି, କର୍ଣ୍ଣାଟକ ଫଳାଫଳର ପ୍ରଭାବ ଚଳିତ ବର୍ଷ ହେବାକୁ ଥିବା କିଛି ରାଜ୍ୟର ବିଧାନସଭା ନିର୍ବାଚନରେ ମଧ୍ୟ ପଡ଼ିବ।

Exit mobile version