Site icon ଆଜିକାଲି

ମେସିଙ୍କୁ ନିଜ ଗ୍ଲୋବାଲ୍ ବ୍ରାଣ୍ଡ ଆମ୍ବାସାଡର କଲା ବାଇଜୁସ୍

ନୂଆଦିଲ୍ଲୀ : ଭାରତର ଅଗ୍ରଣୀ ଏଜୁଟେକ୍ କମ୍ପାନୀ ବାଇଜୁସ୍ ଫୁଟବଲ୍ ସୁପରଷ୍ଟାର ଲିଓନେଲ ମେସିଙ୍କୁ ଏହାର ଅଭିଯାନ ‘ଏଜୁକେସନ୍ ଫର୍ ଅଲ୍’ର ଗ୍ଲୋବାଲ ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ କରିଛି । ବାଇଜୁସ୍ ର ସହପ୍ରତିଷ୍ଠାତା ଦିବ୍ୟା ଗୋକୁଲନାଥ ଏହି ସୂଚନା ଦେଇଛନ୍ତି । ଗ୍ଲୋବାଲ ଆମ୍ବାସାଡର ଭାବରେ ଲିଓନେଲ ମେସିଙ୍କ ସହ ଆମ ସହଭାଗିତା ନେଇ ଆମେ ଉତ୍ସାହିତ ବୋଲି ଗୋକୁଲନାଥ କହିଛନ୍ତି । ଆର୍ଜେଣ୍ଟିନା ଦଳର ଅଧିନାୟକ ତଥା ପ୍ୟାରିସ ସେଣ୍ଟ୍ ଜର୍ମେନ୍ କ୍ଲବ୍ ପାଇଁ ଖେଳୁଥିବା ମେସିଙ୍କ ସହ ଏହି ଚୁକ୍ତି କେତେ ଟଙ୍କାରେ ହୋଇଛି ତାହା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇ ନାହିଁ ।

କୌତୁହଳର ବିଷୟ, ଲିଓନେଲ ମେସିଙ୍କ ଭଳି ଜଣେ ବଡ଼ ତଥା ଦାମୀ ଖେଳାଳିଙ୍କ ସହ ବାଇଜୁସ୍ ଏହି ଚୁକ୍ତି ଏପରି ଏକ ସମୟରେ କରିଛି ଯେତେବେଳେ କମ୍ପାନୀ କ୍ଷତି ହ୍ରାସ କରିବା ପାଇଁ ପ୍ରାୟ ୨୫୦୦ କର୍ମଚାରୀଙ୍କୁ ଛଟେଇ କରିଛି । ଏହା କମ୍ପାନୀର ମୋଟ ୫୦,୦୦୦ କର୍ମଚାରୀଙ୍କ ମଧ୍ୟରୁ ୫% । ଗତ ଆର୍ଥିକ ବର୍ଷରେ କମ୍ପାନୀ ୪,୫୮୯ କୋଟି ଟଙ୍କା କ୍ଷତି ସହିଥିଲା, ଯାହାକି କୌଣସି ଭାରତୀୟ ଷ୍ଟାର୍ଟଅପ୍ ଦ୍ୱାରା ରେକର୍ଡ ହୋଇଥିବା ସର୍ବାଧିକ ।

କମ୍ପାନୀ ପ୍ରତ୍ୟେକ ଦ୍ୱିପାକ୍ଷିକ ମ୍ୟାଚ୍ ପାଇଁ ୪.୬୧ କୋଟି ଏବଂ ଆଇସିସି ଇଭେଣ୍ଟରେ ପ୍ରତି ମ୍ୟାଚ୍ ପାଇଁ ୧.୫୧ କୋଟି ଟଙ୍କା ଦେଇଥାଏ । ନିକଟରେ ଏହି କମ୍ପାନୀ ବିସିସିଆଇ ସହିତ ୫୫ ମିଲିୟନ୍ ଡଲାର (୪୫୪ କୋଟି) ର ଚୁକ୍ତି ନବୀକରଣ କରିଥିଲା । ସେବିକୁ ପ୍ରଦାନ କରାଯାଇଥିବା ତଥ୍ୟ ଅନୁଯାୟୀ ଗତ ଆର୍ଥିକ ବର୍ଷରେ ବିଜ୍ଞାପନ ଏବଂ ମାର୍କେଟିଂ ପାଇଁ କମ୍ପାନୀ ୨୫୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଥିଲା ।

Exit mobile version