Site icon ଆଜିକାଲି

ମୋଦୀଙ୍କ ସହ ଆଲୋଚନାରେ ମାନବିକ ଅଧିକାର ଓ ଗଣମାଧ୍ୟମର ସ୍ୱାଧୀନତା ପ୍ରସଙ୍ଗ ଉଠାଇଥିଲେ ବାଇଡେନ୍

ନୂଆଦିଲ୍ଲୀ: ଭାରତରେ ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେବା ପରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଭିଏତନାମରେ ପହଞ୍ଚିଛନ୍ତି। ଭାରତ ଗସ୍ତ ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଦ୍ୱିପାକ୍ଷିକ ବୈଠକ ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ଭିଏତନାମରେ ପହଞ୍ଚିବା ପରେ ଜୋ ବାଇଡେନ ଗଣମାଧ୍ୟମକୁ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଆଲୋଚନାରେ ସେ ଭାରତରେ ମାନବିକ ଅଧିକାର ଏବଂ ଗଣମାଧ୍ୟମର ସ୍ୱାଧୀନତା ଭଳି ପ୍ରସଙ୍ଗ ମଧ୍ୟ ଉଠାଇଥିଲେ ।

ଆମେରିକା ଭଳି ଦିଲ୍ଲୀରେ ଜି-୨୦ ଶିଖର ସମ୍ମିଳନୀରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ବାଇଡେନ ମିଳିତ ସାମ୍ବାଦିକ ସମ୍ମିଳନୀ କରିବେ ବୋଲି ଆଶା କରାଯାଉଥିଲା। କିନ୍ତୁ ତାହା ହୋଇନଥିଲା । ବାଇଡେନ ଭିଏତନାମ ଗସ୍ତ ସମୟରେ ଗଣମାଧ୍ୟମକୁ କହିଛନ୍ତି, ଜି -୨୦ ଆୟୋଜନ କରିଥିବାରୁ ମୁଁ ପୁଣି ଥରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ତାଙ୍କ ନେତୃତ୍ବକୁ ଧନ୍ୟବାଦ ଦେବାକୁ ଚାହୁଁଛି। ଭାରତ ଏବଂ ଆମେରିକା ମଧ୍ୟରେ ଭାଗିଦାରୀକୁ କିପରି ଆହୁରି ମଜବୁତ କରାଯିବ ସେ ଏବଂ ମୁଁ ଆଲୋଚନା କରିଛୁ। ” ବାଇଡେନ୍ ଆହୁରି କହିଛନ୍ତି, “ସବୁଥର ପରି ଏଥର ମଧ୍ୟ ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ମାନବିକ ଅଧିକାର ପ୍ରତି ସମ୍ମାନ ଏବଂ ଏକ ସମୃଦ୍ଧ ଦେଶ ଗଠନରେ ନାଗରିକ ସମାଜ ଓ ସ୍ବାଧୀନ ଗଣମାଧ୍ୟମର ଭୂମିକା କିପରି ଗୁରୁତ୍ୱପୂର୍ଣ୍ଣ ସେହି ପ୍ରସଙ୍ଗ ଉଠାଇଥିଲି ।”

ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଜୋ ବାଇଡେନଙ୍କ ମଧ୍ୟରେ ହୋଇଥିବା ଦ୍ୱିପାକ୍ଷିକ ଆଲୋଚନା ପରେ ଶୁକ୍ରବାର ଜାରି ମିଳିତ ବିବୃତ୍ତି ଅନୁଯାୟୀ ଉଭୟ ନେତା କହିଥିଲେ ଯେ ସ୍ୱାଧୀନତା, ଗଣତନ୍ତ୍ର, ମାନବିକ ଅଧିକାର ଏବଂ ସମସ୍ତ ନାଗରିକଙ୍କ ପାଇଁ ସମାନ ସୁଯୋଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

Exit mobile version