Site icon ଆଜିକାଲି

କରୋନାରେ ଆକ୍ରାନ୍ତ ହେଲେ ବିଗ୍ ବି ଅମିତାଭ ବଚ୍ଚନ

ମୁମ୍ବାଇ : ବଲିଉଡର ମହାନାୟକ ତଥା ବିଗ ବି ଅମିତାଭ ବଚ୍ଚନ ପୁଣି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ଟେଷ୍ଟ ରିପୋର୍ଟ ମଙ୍ଗଳବାର ରାତିରେ ପଜିଟିଭ ଆସିଥିବା ସେ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି। ଏଥିସହ ଗତ କିଛି ଦିନ ଭିତରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ତୁରନ୍ତ କୋରୋନା ଟେଷ୍ଟ କରାଇ ନେବାକୁ ଅନୁରୋଧ କରିଛନ୍ତି ସେ । କୋରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବାରୁ ଏବେ ଆଇସୋଲେସନରେ ଅଛନ୍ତି ବିଗ୍ ବି ।

୭୯ ବର୍ଷୀୟ ଅମିତାଭ ବଚ୍ଚନ ଟ୍ବିଟ କରି କହିଛନ୍ତି ଯେ “ମୋର କୋରୋନା ଟେଷ୍ଟ ପଜିଟିଭ ଆସିଛି । ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି ବା ମୋ ସହ ଜଡ଼ିତ ଥିଲେ ସେମାନେ ନିଜ ସ୍ବାସ୍ଥ୍ୟର ଯାଞ୍ଚ କରନ୍ତୁ ଓ ତୁରନ୍ତ କୋରୋନା ଟେଷ୍ଟ କରାଇ ନିଅନ୍ତୁ।”

ଅମିତାଭ ବଚ୍ଚନ ଦ୍ବିତୀୟ ଥର ପାଇଁ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ତେବେ ୨୦୨୦ରେ ସେ କୋରୋନାରେ ଆକ୍ରାନ୍ତ ହୋଇଥିଲେ । ଗୁରୁତର ହୋଇଥିବାରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏହି ସମୟରେ ତାଙ୍କ ପୁଅ ଅଭିଷେକ ବଚ୍ଚନ, ବୋହୂ ଐଶ୍ବର୍ଯ୍ୟା ରାୟ ବଚ୍ଚନ ଓ ନାତୁଣୀ ଆରାଧ୍ୟାଙ୍କ ଟେଷ୍ଟ ରିପୋର୍ଟ ମଧ୍ୟ ପଜିଟିଭ ଆସିଥିଲା । ଅଭିଷେକ ମଧ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଐଶ୍ବର୍ଯ୍ୟା ଓ ଆରାଧ୍ୟା ହୋମ ଆଇସୋଲେସନରେ ଥିଲେ । ବର୍ତ୍ତମାନ ବିଗ୍ ବି ଘରୋଇ ଟିଭି ଚ୍ୟାନେଲରେ ପ୍ରସାରିତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ କୌନ ବନେଗା କରୋଡ ପତି ସଂସ୍କରଣ ୧୪ (କେବିସି)ରେ ଉପସ୍ଥାପକ ଦ୍ବାୟିତ୍ବ ନିଭାଉଥିଲେ । କୋରୋନା ସଂକ୍ରମିତ ହେବାପରେ ଏଥିରୁ ସେ ବ୍ରେକ ନେବା ନେଇ ସୂଚନା ମିଳିଛି।

Exit mobile version