Site icon ଆଜିକାଲି

ବିହାରରେ ଜାତି ଆଧାରିତ ସଂରକ୍ଷଣ ସୀମା ୬୫ ପ୍ରତିଶତକୁ ବୃଦ୍ଧି, ବିଧାନସଭାରେ ସର୍ବସମ୍ମତି କ୍ରମେ ପାରିତ ହେଲା ବିଲ୍

ପାଟନା: ସରକାରୀ ଚାକିରୀ ତଥା ଶିକ୍ଷାନୁଷ୍ଠାନ ଗୁଡିକରେ ଏସସି, ଏସଟି, ଓବିସି ଏବଂ ଅତି ପଛୁଆ ବର୍ଗଙ୍କ ସଂରକ୍ଷଣ ବୃଦ୍ଧି ପାଇଁ ଏକ ବିଲ୍ ଗୁରୁବାର ବିହାର ବିଧାନସଭାରେ ସର୍ବସମ୍ମତି କ୍ରମେ ପାରିତ ହୋଇଛି। ବିଜେପି ମଧ୍ୟ ଏହି ବିଲକୁ ସମର୍ଥନ କରିଛି ।

ଏହି ବିଲ୍ ଆଇନରେ ପରିଣତ ହେଲେ ବିହାର ସରକାରଙ୍କ ଅଧୀନ ଚାକିରି ଏବଂ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ସଂରକ୍ଷଣ ସୀମା ୬୫ ପ୍ରତିଶତକୁ ବୃଦ୍ଧି ପାଇବ, ଯାହା ସୁପ୍ରିମକୋର୍ଟଙ୍କ ଧାର୍ଯ୍ୟ ସୀମା ୫୦ ପ୍ରତିଶତରୁ ଅଧିକ । ରାଜ୍ୟପାଳଙ୍କ ଅନୁମୋଦନ ପରେ ଏହି ସଂରକ୍ଷଣ ସଂଶୋଧନ ବିଲ୍ ଆଇନର ରୂପ ନେବ।

ବିଲ୍ ଅନୁଯାୟୀ, ଏସଟି ପାଇଁ ସଂରକ୍ଷଣ ୧ ରୁ ୨ ପ୍ରତିଶତକୁ ବୃଦ୍ଧି ପାଇବାକୁ ଥିବାବେଳେ ଏସସି ପାଇଁ ଏହା ୧୬ ପ୍ରତିଶତରୁ ବଢ଼ି ୨୦ ପ୍ରତିଶତ ହେବ।ଆର୍ଥିକ ଅନଗ୍ରସର ବର୍ଗ (ଇବିସି)ଙ୍କ ପାଇଁ ସଂରକ୍ଷଣ ୧୮ରୁ ୨୫ ପ୍ରତିଶତ ହେବ । ଓବିସି ପାଇଁ ଏହା ୧୨ ପ୍ରତିଶତରୁ ୧୫ ପ୍ରତିଶତକୁ ବୃଦ୍ଧି ପାଇବ। ବିହାରରେ ହୋଇଥିବା ଜାତି ସର୍ଭେ ଅନୁଯାୟୀ ରାଜ୍ୟରେ ଅତି ପଛୁଆ ବର୍ଗଙ୍କ ସଂଖ୍ୟା ୩୬.୦୧% । ଏହାଛଡ଼ା ପଛୁଆ ବର୍ଗ ୨୭.୧୨%, ଅନୁସୂଚିତ ଜାତି ୧୯.୬୫% ଏବଂ ସାଧାରଣ ବର୍ଗଙ୍କ ଲୋକଙ୍କ ସଂଖ୍ୟା ପ୍ରାୟ ୧୫.୫୨% । ରାଜ୍ୟରେ ଅନୁସୂଚିତ ଜନଜାତି ଜନସଂଖ୍ୟା ହେଉଛି ୧.୬୯% |

Exit mobile version