Site icon ଆଜିକାଲି

ଇସ୍ତଫା ଦେଲେ ବିହାର ବିଧାନସଭା ବାଚସ୍ପତି ବିଜୟ କୁମାର ସିହ୍ନା

ପାଟନା: ଆଜି ବିହାର ବିଧାନସଭାରେ ‘ଫ୍ଲୋର୍‌ ଟେଷ୍ଟ୍‌’ ପୂର୍ବରୁ ବାଚସ୍ପତି ବିଜୟ କୁମାର ସିହ୍ନା ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବା ପରେ ସେ କହିଛନ୍ତି, ନୂତନ ସରକାର ଗଠନ ହେବା ପୂର୍ବରୁ ମୁଁ ଇସ୍ତଫା ଦେଇଥାଆନ୍ତି, କିନ୍ତୁ କେହିଜଣେ ମୋ ନାଁରେ ନିର୍ବିଚାର ଭାବେ ମିଥ୍ୟା ଅଭିଯୋଗ କଲେ। ଅଭିଯୋଗର ମୁକାବିଲା କରିବା ପାଇଁ ଇସ୍ତଫା ଦେଇ ନ ଥିଲି। ବିଧାନସଭାରେ କହିବା ବେଳେ ବିଦାୟୀ ବାଚସ୍ପତି ବିଜୟ କୁମାର କହିଲେ, ମୋ ନାଁରେ ଆଗତ ଅନାସ୍ଥା ପ୍ରସ୍ତାବ ସନ୍ଦେହଜନକ ଏବଂ ୯ଜଣ ବ୍ୟକ୍ତିଙ୍କ ମଧ୍‌ୟରୁ ୮ଜଣଙ୍କ ଚିଠି ନୀତିନିୟମ ଆଧାରିତ ନୁହେଁ।

ତେଣେ, ‘ଚାକିରି ବଦଳରେ ଜମି’ ଦୁର୍ନୀତି ମାମଲାରେ ‘ସିବିଆଇ’ ‘ଆର୍‌ଜେଡି’ର ୨ଜଣ ନେତାଙ୍କ ଘରେ ଚଢ଼ାଉ କରିଛି। ଏହି ଦୁର୍ନୀତି ଲାଲୁ ପ୍ରସାଦଙ୍କ ଶାସନ କାଳରେ ହୋଇଥିଲା। ‌ଚଢ଼ାଉ ସମ୍ପର୍କରେ ପ୍ରତିକ୍ରିୟା ବ୍ୟକ୍ତ କରି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍‌ରୀ ଦେବୀ କହିଛନ୍ତି, ‘ସିବିଆଇ’ ଆମ ଦଳକୁ ଡାରାଇ ପାରିବ ନାହିଁ। ସେମାନେ ଭୟଭୀତ ହୋଇଯାଇଛନ୍ତି। ନୀତୀଶ କୁମାରଙ୍କ ନେତୃତ୍ବ ନୂଆ ସରକାର ଗଠିତ ହୋଇଛି। ‘ବିଜେପି’କୁ ବାଦ୍‌ ଦେଇ ସବୁ ଦଳ ଆମ ସହିତ ସାମିଲ ହୋଇଛନ୍ତି। ଆମେ ସଂଖ୍ୟାଗରିଷ୍ଠତା ହାସଲ କରିଛୁ। ଖାଲି ଆମକୁ ଛାନିଆ କରିବାକୁ ‘ସିବିଆଇ’ ଚଢ଼ାଉ କରାଯାଉଛି। ଆମେ ଡରିବୁ ନାହିଁ। ଏଇଟା ପ୍ରଥମ ଚଢ଼ାଉ ନୁହେଁ।

ସେହିପରି, ‘ବିଜେପି’ ବିଧାୟକମାନେ ବିଧାନସଭା ବାହାରେ ପ୍ରତିବାଦ ଚଳାଇଛନ୍ତି। ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତାରକିଶୋର ପ୍ରସାଦ କହିଛନ୍ତି, ଆମେ ଏଠାକୁ ବିଧାନସଭା ଅଧିବେଶନକୁ ଆସିଛୁ। ଚଢ଼ାଉ କଥା ଯାହା କୁହାଯାଉଛି, ତାହା ହେଉଛି ସ୍ବାଧୀନ ଏଜେନ୍‌ସିର କାର୍ଯ୍ୟ। ସେ ବିଷୟରେ ମୁଁ ଟିପ୍ପରୀ ଦେବି ନାହିଁ। ଆଜି କାହିଁକି ଚଢ଼ାଉ କରାଗଲା, ସେ କଥା ‘ସିବିଆଇ’ କହିବ। ବିହାର ବିଧାନ ପରିଷଦ୍‌ର ଅଧ୍ୟକ୍ଷ ପଦ ନିମନ୍ତେ ‘ଜେଡି(ୟୁ)’ର ସଦସ୍ୟ ଦେବେଶ ଚନ୍ଦ୍ର ଠାକୁର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

Exit mobile version