Site icon ଆଜିକାଲି

ଘୋଷଣା ହେଲା ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ୨୦୨୨

ଭୁବନେଶ୍ବର : ଘୋଷଣା ହେଲା ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ୨୦୨୨ । ପୂର୍ବତନ ଓଡ଼ିଆ ଅନ୍ତର୍ଜାତୀୟ କ୍ରିକେଟର ଦେବାଶିଷ ମହାନ୍ତିଙ୍କୁ ଲାଇଫଟାଇମ୍‌ ଆଚିଭମେଣ୍ଟ ସମ୍ମାନ ପାଇଁ ମନୋନୀତ କରାଯାଇଛି । ସେ ବର୍ତ୍ତମାନ ଜାତୀୟ ସିନିଅର ଚୟନ କମିଟିରେ ପୂର୍ବାଞ୍ଚଳରୁ ପ୍ରତିନିଧିତ୍ବ କରୁଛନ୍ତି । କ୍ରୀଡ଼ାର ପ୍ରଚାର ପ୍ରସାର ଓ କ୍ରିକେଟ ପ୍ରତି ଜୀବନବ୍ୟାପି ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ ପାଇଁ ମନୋନୀତ କରିଛନ୍ତି ରାଜ୍ୟ ସରକାର ।

ଏହି କ୍ରମରେ ଭାରୋତ୍ତଳନକାରୀ ଝିଲ୍ଲୀ ଦଳବେହେରାଙ୍କୁ ମଧ୍ୟ ରାଜ୍ୟ ସରକାର ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରରେ ସମ୍ମାନିତ କରିବେ । ସେ ୨୦୨୧ ଏସିଆନ ଚମ୍ପିଆନ୍‌ସିପ୍‌ରେ ଓ ଜାତୀୟ ବରିଷ୍ଠ ଭାରୋତ୍ତଳନ ପ୍ରତିଯୋଗିତାରେ କାଂସ୍ୟ ପଦକ ଜିତି ରାଜ୍ୟ ପାଇଁ ଗୌରବ ଆଣିଥିଲେ । ଓଡ଼ିଆ ସୁଟର ଶ୍ରୀୟଙ୍କା ଷଡ଼ଙ୍ଗୀ ମଧ୍ୟ ଜାତୀୟ ସୁଟିଂ ପ୍ରତିଯୋଗିତାରେ ରୌପ୍ୟ ପଦକ ହାସଲ କରିଥିଲେ । ସେ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ୨୦୨୨ ପାଇଁ ମନୋନୀତ ହୋଇଛନ୍ତି । ଜଣେ ପ୍ରିଶକ୍ଷକ ବା କୋଚ୍‌ ଭାବରେ ବିଷ୍ଣୁ ପ୍ରସାଦ ମିଶ୍ରଙ୍କୁ ସମ୍ମାନିତ କରାଯିବ । କ୍ରୀଡ଼ା ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଯୋଗୁଁ ବେଣୁଧର ଦାସ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ୨୦୨୨ ପାଇଁ ମନୋନୀତ ହୋଇଛନ୍ତି । ୨୦୨୧ର ଶ୍ରେଷ୍ଠ କ୍ରୀଡ଼ାବିତ୍‌ ଭାବେ ଶ୍ରୀୟଙ୍କା ଷଡ଼ଙ୍ଗୀ ଓ ଝିଲ୍ଲୀ ଦଳବେହେରାଙ୍କୁ ଚୟନ କରାଯାଇଛି ।
ରାଜ୍ୟରେ କ୍ରୀଡ଼ାକୁ ପ୍ରୋତ୍ସାହନ ପାଇଁ ରାଉରକେଲା ଷ୍ଟିଲ ପ୍ଲାଣ୍ଟକୁ ପୁରସ୍କୃତ କରିବେ ରାଜ୍ୟ ସରକାର । ଅଗଷ୍ଟ ୨୯ ତାରିଖ କ୍ରୀଡା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସମସ୍ତ ପୁରସ୍କାର ପ୍ରଦାନ କରିବେ ।

Exit mobile version