Site icon ଆଜିକାଲି

ବିଲକିସ୍ ବାନୋ ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି ଆଜି

ନୂଆଦିଲ୍ଲୀ: ବିଲକିସ୍ ବାନୋ ଗଣ ବଳାତ୍କାରର ଦୋଷୀଙ୍କୁ ମୁକ୍ତ କରିବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଦାୟର ପିଟିସନ ଉପରେ ସୁପ୍ରିମକୋର୍ଟ ଆଜି ଶୁଣାଣି କରିବେ । ସିପିଆଇ ନେତ୍ରୀ ସୁହାସିନୀ ଅଲି, ସାମ୍ବାଦିକା ରେବତୀ ଲାଲ ଏବଂ ପ୍ରଫେସର ରୂପ ରେଖା ବର୍ମା ଏହି ମାମଲାରେ ଦୋଷୀଙ୍କୁ ମୁକ୍ତ କରିବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ପିଟିସନ ଦାୟର କରିଥିଲେ। ଏହାଛଡ଼ା ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମଇତ୍ର ମଧ୍ୟ ଏନେଇ ଏକ ଜନସ୍ୱାର୍ଥ ମାମଲା ଦାୟର କରିଥିଲେ ।

ଅଗଷ୍ଟ ୧୫ରେ ବିଲକିସ୍ ବାନୋ ମାମଲାରେ ଆଜୀବନ ଜେଲ କାରାଦଣ୍ଡରେ ଦଣ୍ଡିତ ହୋଇଥିବା ସମସ୍ତ ୧୧ ବନ୍ଦୀଙ୍କୁ ଗୁଜରାଟ ସରକାର କ୍ଷମା ପ୍ରାର୍ଥନା ଯୋଜନା ଅନୁଯାୟୀ ମୁକ୍ତ କରିଥିଲେ। ଏହି ୧୧ ବ୍ୟକ୍ତି ୨୦୦୨ ଗୁଜରାଟ ଦଙ୍ଗା ସମୟରେ ବିଲକିସ୍ ବାନୋଙ୍କୁ ଗଣଦୁଷ୍କର୍ମ କରିବା ସହ ତାଙ୍କ ପରିବାରର ୭ ଜଣ ସଦସ୍ୟଙ୍କ ହତ୍ୟା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ପରେ ସେମାନଙ୍କୁ କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ବମ୍ବେ ହାଇକୋର୍ଟ ମଧ୍ୟ ଦଣ୍ଡାଦେଶକୁ କାଏମ ରଖିଥିଲେ । ତେବେ ଅଗଷ୍ଟ ୧୫ରେ ଗୁଜରାଟ ସରକାର ଏହି ମାମଲାର ସମସ୍ତ ୧୧ ଦୋଷୀଙ୍କ ସଜା ମାଫ୍ କରିବା ପରେ ସେମାନେ ଗୋଧ୍ରା ସବ୍ ଜେଲରୁ ମୁକୁଳିଥିଲେ । ଜେଲରୁ ବାହାରିବା ପରେ ଉକ୍ତ ୧୧ ବ୍ୟକ୍ତିଙ୍କୁ ମିଠା ସହ ଫୁଲମାଳ ପିନ୍ଧାଇ ସ୍ୱାଗତ କରାଯାଇଥିଲା । ଏହାର ଭିଡ଼ିଓ ଓ ଫଟୋ ଭାଇରାଲ ହେବା ପରେ ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।

Exit mobile version