Site icon ଆଜିକାଲି

ଗୁଜରାଟ ଉପକୂଳ ଆଡକୁ ମାଡ଼ି ଆସୁଛି ‘ବିପର୍ଯ୍ୟୟ’, କାଲି ସ୍ଥଳଭାଗ ଛୁଇଁବ

ଅହମ୍ମଦାବାଦ: ଆରବ ସାଗରରେ ସୃଷ୍ଟ ବାତ୍ୟା ‘ବିପର୍ଯ୍ୟୟ’ ଗୁରୁବାର (ଜୁନ୍ ୧୫) ଗୁଜରାଟର କଚ୍ ନିକଟରେ ସ୍ଥଳଭାଗ ଅତିକ୍ରମ କରିବ । ଏହି ଅତି ଭୀଷଣ ବାତ୍ୟାର ପ୍ରଭାବ ଗୁଜରାଟ ଉପକୂଳରେ ଦେଖିବାକୁ ମିଳୁଛି । ସମୁଦ୍ର ଅଶାନ୍ତ ହୋଇପଡିଛି। ଦେଶର ପଶ୍ଚିମ ଉପକୂଳବର୍ତ୍ତୀ ରାଜ୍ୟ ଗୁଡ଼ିକରେ ପ୍ରବଳ ପବନ ସହିତ ବର୍ଷା ଆରମ୍ଭ ହୋଇଯାଇଛି | ‘ବିପର୍ଯ୍ୟୟ’କୁ ଦୃଷ୍ଟିରେ ରଖି ଗୁଜରାଟର ୮ଟି ଜିଲ୍ଲାରେ ହାଇ ଆଲର୍ଟ ଜାରି କରାଯାଇଛି । କେନ୍ଦ୍ର ସରକାର ପରିସ୍ଥିତି ଉପରେ ନିରନ୍ତର ନଜର ରଖିଛନ୍ତି। ରିଲିଫ ଓ ଉଦ୍ଧାର କାର୍ଯ୍ୟ ତଦାରଖ ପାଇଁ କେନ୍ଦ୍ର ମନ୍ତ୍ରୀମାନଙ୍କୁ ବିଭିନ୍ନ ଜିଲ୍ଲାର ଦାୟିତ୍ବ ଦିଆଯାଇଛି।

ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଆଜିଠୁ ଘୂର୍ଣ୍ଣିଝଡ଼ର ସର୍ବାଧିକ ପ୍ରଭାବ ଦେଖିବାକୁ ମିଳିବ। ଗୁଜରାଟର ଦ୍ୱାରକା ଏବଂ କଚ୍ ଜିଲ୍ଲାରେ ପାଣିପାଗ ବିଭାଗ ରେଡ୍ ଆଲର୍ଟ ଜାରି କରିଛି। ବାତ୍ୟାକୁ ଦୃଷ୍ଟିରେ ରଖି ଏପର୍ଯ୍ୟନ୍ତ ୩୭ଟି ଜିଲ୍ଲାରେ ୩୭,୭୯୪ ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ବାତ୍ୟାର ମୁକାବିଲା ଲାଗି ଏନଡିଆରଏଫର ୧୫ଟି ଟିମ୍ ଓ ଏସଡିଆରଏଫ୍ ର ୧୨ଟି ଟିମକୁ ମୁତୟନ କରାଯାଇଛି |

ପାଣିପାଗ ବିଭାଗର ସଦ୍ୟତମ ସୂଚନା ଅନୁଯାୟୀ, ବାତ୍ୟା ‘ବିପର୍ଯ୍ୟୟ’ ଦ୍ଵାରକା ଠାରୁ ପ୍ରାୟ ୩୦୦ କିଲୋମିଟର ଦୂରରେ ରହିଛି । ଏହି ଭୟଙ୍କର ଘୂର୍ଣ୍ଣିଝଡ଼ ବର୍ତ୍ତମାନ ଘଣ୍ଟା ପ୍ରତି ୧୬୫ କିଲୋମିଟର ବେଗରେ ଗୁଜରାଟ ଉପକୂଳ ଆଡକୁ ମାଡ଼ି ଆସୁଛି । ‘ବିପର୍ଯ୍ୟୟ’ ଗୁରୁବାର (ଜୁନ୍ ୧୫) ଅପରାହ୍ନରେ କଚ୍ ଜିଲ୍ଲାର ଜଖାଉ ବନ୍ଦର ନିକଟରେ ସ୍ଥଳଭାଗ ଅତିକ୍ରମ କରିବ । ସ୍ଥଳଭାଗ ଛୁଇଁବ ବେଳକୁ ପବନର ବେଗ ଘଣ୍ଟା ପ୍ରତି ସର୍ବାଧିକ ୧୫୦ କିଲୋମିଟର ରହିବ । ଉପକୂଳକୁ ମାଡ଼ ହେବା ପରେ ଏହାର ପ୍ରକୋପ କମିବ ।

ବାତ୍ୟାର ସର୍ବାଧିକ ପ୍ରଭାବ ଗୁଜରାଟର କଚ୍, ଦେବଭୂମି ଦ୍ୱାରକା ଏବଂ ଜାମନଗରରେ ପଡ଼ିବ। ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଜୁନ୍ ୧୫ରେ ଏହି ସବୁ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଜୁନ୍ ୧୫ ସକାଳେ ପ୍ରଭାବିତ ହେବାକୁ ଥିବା ଅଞ୍ଚଳ ଗୁଡ଼ିକରେ ସର୍ବନିମ୍ନ ୧୨୦-୧୩୦ କିଲୋମିଟର ଓ ସର୍ବାଧିକ ୧୪୫ କିଲୋମିଟର ବେଗରେ ପବନ ବହିବ । ବୁଧବାର ସନ୍ଧ୍ୟା ଯାଏଁ ସମୁଦ୍ର ଅଶାନ୍ତ ରହିବ ।

Exit mobile version