Site icon ଆଜିକାଲି

ଅତି ଭୀଷଣ ରୂପ ନେଲା ‘ବିପରଯୋୟ’, ଗୁଜରାଟ ଉପକୂଳରେ ୟେଲୋ ଆଲର୍ଟ

ନୂଆଦିଲ୍ଲୀ : ଆରବ ସାଗରରେ ଅତି ଭୀଷଣ ରୂପ ନେଲା ସାମୁଦ୍ରିକ ବାତ୍ୟା ‘ବିପରଯୋୟ’ । ବର୍ତ୍ତମାନ ଏହା ଗୁଜରାଟର ପୋରବନ୍ଦର ଠାରୁ ୪୨୦ କି.ମି. ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମ ଦିଗ ଏବଂ ଦ୍ୱାରକା ଠାରୁ ୩୮୦ କି.ମି. ଦକ୍ଷିଣ ଓ ଦକ୍ଷିଣ ପଶ୍ଚିମ ଦିଗରେ ରହିଛି । ଗତ ୬ ଘଣ୍ଟା ହେଲା ଏହା ଘଣ୍ଟା ପ୍ରତି ୧୦ କି.ମି. ବେଗରେ ଗତି କରୁଛି । ଆସନ୍ତା ୧୪ ତାରିଖ ସକାଳେ ଏହା ଉତ୍ତର ଦିଗକୁ ଅଗ୍ରସର ହୋଇ ଗୁଜରାଟର ଜାଖୁଆ ବନ୍ଦର ଦେଇ ଅତିକ୍ରମ କରିବ । ସେହିପରି ୧୫ ତାରିଖରେ ବାତ୍ୟା ଗୁଜରାଟର ମାଣ୍ଡଭି ଓ ପାକିସ୍ତାନର କରାଚୀ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ।

ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୫୦ କି.ମି. ରହିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଏଥିସହ ଗୁଜକାଟ ଉପକୂଳରେ ୟୋଲେ ଆଲର୍ଟ ଜାରି ହୋଇଛି । ବାତ୍ୟା ପରିସ୍ଥିତିର ମୁକାବିଲା କରିବା ଲାଗି ପୋରବନ୍ଦର, ଗିର୍ ସୋମନାଥ ଏବଂ ଭଲସାଡ୍‌ରେ ଏନଡିଆରଏଫ ଟିମକୁ ମୁତୟନ ହୋଇଛନ୍ତି । ବାତ୍ୟା ଯୋଗୁ ଗୁଜରାଟରେ ଆଗାମୀ ୫ ଦିନ ପାଇଁ ପବନ ସହ ପ୍ରବଳ ବର୍ଷା ହେବ ବୋଲି ଆଇଏମ୍‌ଡି ଆକଳନ କରିଛି । ସବୁଠାରୁ ଅଧିକ ପ୍ରଭାବ ସୌରାଷ୍ଟ୍ର ଓ କଚ୍ଛ ଅଞ୍ଚଳରେ ପଡିବ । ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ଏସବୁ ଅଞ୍ଚଳରେ ୫୦ କି.ମି. ବେଗରେ ପବନ ବହିବା ସହ ପ୍ରବଳ ବର୍ଷା ହେବ ।

ବାତ୍ୟା ମୁକାବିଲା ନେଇ ରବିବାର ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ରାଜ୍ୟରେ ଥିବା ଜରୁରୀ ଅପରେସନ ସେଣ୍ଟର ପରିଦର୍ଶନ କରିବା ସହ ବାତ୍ୟା ମୁକାବିଲା ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି । ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଭିଡିଓ କନ୍‌ଫରେନ୍ସିଂରେ ଆଲୋଚନା କରିଛନ୍ତି । ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାରେ ଥିବା ସବୁ ବେଳାଭୂମିକୁ ବନ୍ଦ କରିଦିଆଯିବା ସହ ଉପକୂଳ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଆବଶ୍ୟକ ସ୍ଥଳେ ସେମାନଙ୍କୁ ସ୍ଥାନାନ୍ତର କରାଯିବ ବୋଲି କୁହାଯାଇଛି ।

Exit mobile version