Site icon ଆଜିକାଲି

ରାଜ୍ୟ ସଭା ସଦସ୍ୟ ପଦରୁ ଇସ୍ତଫା ଦେଲେ ବିଜେଡି ସାଂସଦ ମମତା ମହାନ୍ତ

ନୂଆଦିଲ୍ଲୀ : ରାଜ୍ୟ ସଭା ସଦସ୍ୟ ପଦରୁ ଇସ୍ତଫା ଦେଲେ ବିଜେଡି ସାଂସଦ ମମତା ମହାନ୍ତ । ତାଙ୍କ ଇସ୍ତଫାପତ୍ରକୁ ରାଜ୍ୟ ସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଗ୍ରହଣ କରିଛନ୍ତି। ବୁଧବାର ରାଜ୍ୟ ସଭା ଅଧ୍ୟକ୍ଷ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ମମତା ହେଉଛନ୍ତି ମୟୂରଭଞ୍ଜ ଜିଲା କୁଡ଼ୁମୀ ସମ୍ପ୍ରଦାୟର ଟାଣୁଆ ନେତ୍ରୀ। ସେ ୨୦୨୦ ମସିହାରେ ବିଜୁ ଜନତା ଦଳ ତରଫରୁ ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିଲେ।

ଇସ୍ତଫା ସମ୍ପର୍କରେ ମମତା ନିଜେ ମଧ୍ୟ ସାମାଜିକ ଗଣମାଧ୍ୟମ ଏକ୍ସ’ରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ବିଜୁ ଜନତା ଦଳ ଆଜି ମୋର ସେବାର ଆବଶ୍ୟକତା କରୁନାହିଁ। ଯେହେତୁ ମୁଁ ଲୋକଙ୍କ ନେତା ଏବଂ ସେମାନଙ୍କ ସେବା ହିଁ ମୋର ମୁଖ୍ୟ ଧ୍ୟେୟ, ସେଥିପାଇଁ ମୁଁ ସେ ଦଳରେ ରହିବାର ଆବଶ୍ୟକତା ଅନୁଭବ କଲି ନାହିଁ। ସେଥିଲାଗି ସେ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟତା ଏବଂ ରାଜ୍ୟସଭା ସଭ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ପତ୍ର ସେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ବି ପଠାଇଥିବା କହିଛନ୍ତି। ତାଙ୍କ କାର୍ଯ୍ୟକାଳ ପୂରିବାକୁ ଆଉ ୨୧ ମାସ ସମୟ ବାକି ଥିଲା। ଏହି ଇସ୍ତଫା ଫଳରେ ରାଜ୍ୟସଭାରେ ବିଜେଡି ସାଂସଦଙ୍କ ସଂଖ୍ୟା ହ୍ରାସ ପାଇଛି। ପୂର୍ବରୁ ୯ ସାଂସଦ ଥିବାବେଳେ ଏବେ ତାହା ଖସି ୮ରେ ପହଞ୍ଚିଛି।

Exit mobile version