Site icon ଆଜିକାଲି

୧୯୫ ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି, ମୋଦୀ ପୁଣି ବାରାଣସୀରୁ ଲଢ଼ିବେ

ନୂଆଦିଲ୍ଲୀ: ବିଜେପି ୨୦୨୪ ଲୋକସଭା ନିର୍ବାଚନ ପାଇଁ ଶନିବାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ପ୍ରଥମ ପର୍ଯ୍ୟାୟରେ ଦଳ ୧୬ଟି ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଞ୍ଚଳର ୧୯୫ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣିଥରେ ବାରାଣସୀ ଆସନରୁ ଲଢ଼ିବେ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗାନ୍ଧୀ ନଗରରୁ ପ୍ରତିଦ୍ବନ୍ଦ୍ବିତା କରିବାକୁ ଥିବାବେଳେ ସ୍ମୃତି ଇରାନୀ ଏଥର ମଧ୍ୟ ଆମେଥିରୁ ଭାଗ୍ୟ ପରୀକ୍ଷା କରିବେ।

ଏହି ତାଲିକାରେ ୩୪ କେନ୍ଦ୍ର ଓ ରାଜ୍ୟ ମନ୍ତ୍ରୀ ଅଛନ୍ତି। ଲୋକସଭାର ବାଚସ୍ପତିଙ୍କ ସହ ଦୁଇଜଣ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନାମ ମଧ୍ୟ ଏଥିରେ ରହିଛି ।

ବିଜେପିର ଏହି ତାଲିକାରେ ୨୮ ଜଣ ମହିଳା ଏବଂ ୫୦ ବର୍ଷରୁ କମ୍ ୪୭ ଜଣ ଯୁବ ପ୍ରାର୍ଥୀ ଅଛନ୍ତି | ଅନୁସୂଚିତ ଜାତିରୁ ୨୭, ଅନୁସୂଚିତ ଜନଜାତିରୁ ୧୮ ଏବଂ ଓବିସି ବର୍ଗର ୫୭ ଜଣ ପ୍ରାର୍ଥୀଙ୍କୁ ଦଳ ଟିକେଟ୍ ଦେଇଛି ‌‌।

ପ୍ରାର୍ଥୀ ଘୋଷଣା ହୋଇଥିବା ୧୯୫ ଆସନ ମଧ୍ୟରୁ ଉତ୍ତର ପ୍ରଦେଶ ୫୧, ପଶ୍ଚିମବଙ୍ଗର ୨୦, ମଧ୍ୟପ୍ରଦେଶର ୨୪, ଗୁଜରାଟର ୧୫, ରାଜସ୍ଥାନ ୧୫, କେରଳର ୧୨, ତେଲେଙ୍ଗାନାର ୯ ଏବଂ ଛତିଶଗଡ଼ର ୧୧ ଆସନ ରହିଛି ।

ଏହାଛଡ଼ା ଦିଲ୍ଲୀର ୫, ଜାମ୍ମୁ କାଶ୍ମୀରର ୨, ଉତ୍ତରାଖଣ୍ଡର ୩, ଅରୁଣାଚଳ ପ୍ରଦେଶର ୨ଟି ଆସନ ସହ ଗୋଆ, ତ୍ରିପୁରା, ଆଣ୍ଡାମାନ ନିକୋବର ଏବଂ ଡାମନ ଡିୟୁର ଗୋଟିଏ ଲେଖାଏଁ ଆସନ ପାଇଁ ମଧ୍ୟ ପ୍ରାର୍ଥୀ ଘୋଷଣା କରିଛି ବିଜେପି।

Exit mobile version