Site icon ଆଜିକାଲି

ମଧ୍ୟପ୍ରଦେଶ, ଛତିଶଗଡ ଏବଂ ରାଜସ୍ଥାନ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେପି

ନୂଆଦିଲ୍ଲୀ: ଛତିଶଗଡ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ ପାଇଁ ବିଜେପି ପର୍ଯ୍ୟବେକ୍ଷକଙ୍କ ନାମ ଘୋଷଣା କରିଛି। ରାଜସ୍ଥାନ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ରାଜ୍ୟସଭା ସାଂସଦ ସରୋଜ ପାଣ୍ଡେ ଏବଂ ବିଜେପି ଜାତୀୟ ସାଧାରଣ ସମ୍ପାଦକ ବିନୋଦ ତାୱଡେଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି।ମଧ୍ୟପ୍ରଦେଶ ପାଇଁ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର, ବିଜେପିର ଓବିସି ମୋର୍ଚ୍ଚା ସଭାପତି କେ ଲକ୍ଷ୍ମଣ ଏବଂ ଦଳର ଜାତୀୟ ସଚିବ ଆଶା ଲାକ୍ରାଙ୍କୁ ପର୍ଯ୍ୟବେକ୍ଷକ କରାଯାଇଛି।

ଛତିଶଗଡ ପାଇଁ ଆଦିବାସୀ ମନ୍ତ୍ରୀ ଅର୍ଜୁନ ମୁଣ୍ଡା, ଆୟୁଷ ମନ୍ତ୍ରୀ ସର୍ବାନନ୍ଦ ସୋନେୱାଲ ଏବଂ ଦଳର ଜାତୀୟ ସଚିବ ଦୁଶ୍ୟନ୍ତ କୁମାର ଗୌତମ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ହୋଇଛନ୍ତି। ବିଜେପିର ଏହି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକମାନେ ତିନି ରାଜ୍ୟର ବିଧାୟକ ଦଳ ବୈଠକର ନେତୃତ୍ୱ ନେବେ ଓ ମୁଖ୍ୟମନ୍ତ୍ରୀ ପଦ ପାଇଁ ନେତା ବାଛିବାରେ ସହାୟତା କରିବେ।

ଡିସେମ୍ବର ୩ରେ ଘୋଷିତ ବିଧାନସଭା ନିର୍ବାଚନ ଫଳାଫଳରେ ବିଜେପିକୁ ତିନୋଟି ରାଜ୍ୟରେ ପୂର୍ଣ୍ଣ ବହୁମତ ମିଳିଥିଲା । କିନ୍ତୁ ଫଳ ଘୋଷଣାର ପାଞ୍ଚ ଦିନ ପରେ ବି ଏହି ତିନି ହିନ୍ଦୀ ରାଜ୍ୟରେ କିଏ ମୁଖ୍ୟମନ୍ତ୍ରୀ ହେବେ ସେନେଇ ସସପେନ୍ସ ଜାରି ରହିଛି। ମଧ୍ୟପ୍ରଦେଶରେ ଶିବରାଜ ସିଂହ ଚୌହାନ ୧୮ ବର୍ଷ ଧରି ବିଜେପି ସରକାର ନେତୃତ୍ୱ ନେଇଆସିଛନ୍ତି। ରାଜସ୍ଥାନରେ ବସୁନ୍ଧରା ରାଜେ ଏବଂ ଛତିଶଗଡର ରମଣ ସିଂ ବିଜେପିର ମୁଖ୍ୟମନ୍ତ୍ରୀ ରହିଥିଲେ। କିନ୍ତୁ ଏଥର ଦଳ ଏହି ତିନି ରାଜ୍ୟରେ ନୂଆ ଚେହେରାଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଇବ ବୋଲି ଚର୍ଚ୍ଚା ହେଉଛି।

ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ ବିଧାନସଭା ନିର୍ବାଚନରେ ବିଜେପି ଏହାର ୨୧ ଜଣ ସାଂସଦଙ୍କୁ ପ୍ରାର୍ଥୀ କରିଥିଲା । ଏମାନଙ୍କ ମଧ୍ୟରୁ ୧୨ ଜଣ ବିଜୟୀ ହୋଇଥିଲେ । ସେମାନେ ଲୋକସଭା ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି। ଏଭଳି ସ୍ଥିତିରେ ଏହି ରାଜ୍ୟଗୁଡିକରେ ବିଜେପି କାହାକୁ ମୁଖ୍ୟମନ୍ତ୍ରୀ କରିବ ସେନେଇ ଚର୍ଚ୍ଚା ଜୋର ଧରିଛି।

Exit mobile version