Site icon ଆଜିକାଲି

ଭାରତୀୟ ନୋଟରେ ଶିବାଜୀଙ୍କ ଫଟୋ ରଖିବାକୁ ବିଜେପି ନେତାଙ୍କ ଦାବି

ମୁମ୍ବାଇ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଭାରତୀୟ ମୁଦ୍ରାରେ ଲକ୍ଷ୍ମୀ-ଗଣେଶଙ୍କ ଫଟୋ ଛାପିବାକୁ ଦାବି କରିବା ପରେ ଏହାକୁ ନେଇ ରାଜନୀତି ଜୋର୍ ଧରିଛି । ଏହି ପ୍ରସଙ୍ଗରେ ଏବେ ଦେଶର ବିଭିନ୍ନ ସ୍ଥାନରୁ ବିଭିନ୍ନ ଦାବି ଉଠିବାରେ ଲାଗିଛି । ଏହାରି ଭିତରେ ବିଜେପି ନେତା ନୀତୀଶ ରାଣେ ମଧ୍ୟ ଏକ ଦାବି ରଖିଛନ୍ତି । ଭାରତୀୟ ନୋଟରେ ମରାଠା ଆଇକନ୍ ଛତ୍ରପତି ଶିବାଜୀଙ୍କ ଚିତ୍ର ରଖିବାକୁ ସେ ଦାବି କରିଛନ୍ତି। ଏହାଛଡ଼ା ସେ ଶିବାଜୀଙ୍କ ଚିତ୍ର ଥିବା ଏକ ୨୦୦ ଟଙ୍କିଆ ଫଟୋସପ୍ ହୋଇଥିବା ନୋଟର ଫଟୋ ପୋଷ୍ଟ କରିଛନ୍ତି।

ଅରବିନ୍ଦ କେଜ୍ରିୱାଲ ବୁଧବାର କହିଥିଲେ ଯେ ଭାରତୀୟ ନୋଟରେ ଦେବୀ ଲକ୍ଷ୍ମୀ ଏବଂ ଭଗବାନ ଗଣେଶଙ୍କ ଫଟୋ ରହିବା ଉଚିତ। ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ କରିବେ । ଭାରତୀୟ ନୋଟରେ ଦେବୀ-ଦେବତାଙ୍କ ଫଟୋ ରହିଲେ ଅର୍ଥନୀତି ଆହୁରି ସୁଦୃଢ଼ ହେବ ଏବଂ ଦେଶର ବିକାଶ ହେବ ବୋଲି ସେ ଯୁକ୍ତି ବାଢ଼ିଥିଲେ । ଏହା ମଧ୍ୟ ଡଲାର ତୁଳନାରେ ଟଙ୍କାର ଅବନତି ରୋକିବାରେ ସହାୟକ ହୋଇପାରେ ବୋଲି ସେ କହିଥିଲେ ।

କେଜ୍ରିୱାଲଙ୍କ ଏପରି ଦାବି ପରେ ବିଜେପି ତାଙ୍କୁ ପାଲଟା ଆକ୍ରମଣ କରିଥିଲା । ଗୁଜରାଟ ନିର୍ବାଚନ ଦୃଷ୍ଟିରୁ କେଜ୍ରିୱାଲ ନିଜ ହିନ୍ଦୁ ବିରୋଧୀ ଛବି ଲୁଚାଇବା ପାଇଁ ଏଭଳି ଦାବି କରୁଛନ୍ତି ବୋଲି ବିଜେପି କହିଥିଲା ।

Exit mobile version