Site icon ଆଜିକାଲି

ପ୍ରଧାନମନ୍ତ୍ରୀଙ୍କୁ ବିଜେପି ବିଧାୟକଙ୍କ ଅପିଲ – ତାଜମହଲ, କୁତବ ମିନାର ଭାଙ୍ଗି ମନ୍ଦିର ନିର୍ମାଣ କରାଯାଉ

ଗୁଆହାଟୀ: ଆସାମର ଜଣେ ବିଜେପି ବିଧାୟକ ତାଜମହଲକୁ ଭାଙ୍ଗି ସେହି ସ୍ଥାନରେ ମନ୍ଦିର ନିର୍ମାଣ କରିବାକୁ ଦାବି କରିଛନ୍ତି । ବିଧାୟକ ରୂପଜ୍ୟୋତି କୁର୍ମୀ କହିଛନ୍ତି ଯେ ତାଜମହଲ ପ୍ରେମର ପ୍ରତୀକ ନୁହେଁ । ତେଣୁ ଏହାକୁ ତୁରନ୍ତ ଭାଙ୍ଗିବାକୁ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ କରୁଛି। କେବଳ ତାଜମହଲ ନୁହେଁ, ମୋଗଲ ଯୁଗର ଆଉ ଏକ ଐତିହାସିକ କୀର୍ତ୍ତିରାଜି କୁତବ ମିନାରକୁ ମଧ୍ୟ ଭାଙ୍ଗି ଦେବାକୁ ଦାବି କରିଛନ୍ତି ରୂପଜ୍ୟୋତି କୁର୍ମୀ।

ରୂପଜ୍ୟୋତି କୁର୍ମୀ କହିଛନ୍ତି, ମୋଗଲ ସମ୍ରାଟ ଶାହ ଜାହାଁ ତାଙ୍କ ପତ୍ନୀ ମମତାଜଙ୍କୁ ପ୍ରକୃତରେ ଭଲ ପାଉଥିଲେ କି ନାହିଁ ତାହାର ଅନୁସନ୍ଧାନ ହେବା ଉଚିତ । ଯଦି ଶାହ ଜାହାଁ ମମତାଜଙ୍କୁ ଭଲ ପାଉଥିଲେ ତେବେ ମମତାଜଙ୍କ ମୃତ୍ୟୁ ପରେ ଆଉ ତିନୋଟି ବିବାହ କାହିଁକି କରିଥିଲେ ବୋଲି ଏହି ବିଜେପି ନେତା ପ୍ରଶ୍ନ ଉଠାଇଛନ୍ତି । ଶାହ ଜାହାଁ ତାଙ୍କର ଚତୁର୍ଥ ପତ୍ନୀ ମମତାଜଙ୍କ ସ୍ମୃତିରେ ତାଜମହଲ ନିର୍ମାଣ କରିଥିଲେ। ଶାହ ଜାହାଁ ୭ଥର ବିବାହ କରିଥିଲେ। ତାଜମହଲ ଏବଂ କୁତୁବ ମିନାରକୁ ଭାଙ୍ଗି ସେଠାରେ ବିଶ୍ବର ସବୁଠାରୁ ସୁନ୍ଦର ମନ୍ଦିର ନିର୍ମାଣ କରାଯିବା ଉଚିତ । ଏଥିପାଇଁ ସେ ତାଙ୍କ ମାସକର ଦରମା ଦାନ କରିବେ ବୋଲି ରୂପଜୋତି କୁର୍ମୀ କହିଛନ୍ତି ।

ରୂପଜ୍ୟୋତି କୁର୍ମି ଚାରିଥରର ବିଧାୟକ । ସେ ମଧ୍ୟ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ସର୍ମାଙ୍କ ଜଣେ ସମାଲୋଚକ ଭାବେ ଜଣାଶୁଣା। ସେ ୨୦୨୧ରେ କଂଗ୍ରେସ ସହ ସମ୍ପର୍କ ଛିନ୍ନ କରି ବିଜେପିରେ ଯୋଗ ଦେଇଥିଲେ। କଂଗ୍ରେସରେ ଥିବାବେଳେ ରୂପଜ୍ୟୋତି କୁର୍ମୀ ମାରିଆନି ବିଧାନସଭା ଆସନରୁ ବିଧାୟକ ହୋଇଥିଲେ। ବିଜେପିରେ ଯୋଗଦେବା ପରେ ସେ ପୁଣି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।

Exit mobile version