Site icon ଆଜିକାଲି

କର୍ଣ୍ଣାଟକ ନିର୍ବାଚନ: ବିଜେପିର ନିର୍ବାଚନୀ ଇସ୍ତାହାରରେ ମାଗଣା କ୍ଷୀର, ରନ୍ଧନ ଗ୍ୟାସ୍ ‌‌ପ୍ରତିଶ୍ରୁତି

ବେଙ୍ଗାଲୁରୁ: ଆସନ୍ତା ୧୦ ତାରିଖରେ ହେବାକୁ ଥିବା କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଶାସକ ବିଜେପି ସୋମବାର ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛି। ଦଳ କ୍ଷମତାକୁ ଆସିଲେ ମାଗଣା କ୍ଷୀର ଓ ରନ୍ଧନ ଗ୍ୟାସ୍‌ ଦେବାକୁ ପ୍ରତିଶ୍ରୁତି ଦେଇଛି । ଏହାଛଡ଼ା କର୍ଣ୍ଣାଟକରେ ‘ୟୁନିଫର୍ମ ସିଭିଲ୍‌ କୋଡ୍‌’ ଲାଗୁ କରାଯିବ ବୋଲି ଦଳ ଘୋଷଣା କରିଛି ।

‘ବିଜେପି ପ୍ରଜା ପ୍ରଣାଳିକେ’ ନାମକ ଉକ୍ତ ଇସ୍ତାହାରକୁ ଆଜି ବେଙ୍ଗାଲୁରୁରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉନ୍ମୋଚନ କରିଛନ୍ତି। ଗଣମାଧ୍ୟମକୁ ସମ୍ବୋଧନ କରି ନଡ୍ଡା କହିଛନ୍ତି, ଦଳର ଇଚ୍ଛା ଅନୁସାରେ ନୁହେଁ ବରଂ ରାଜ୍ୟର ସବୁ ପ୍ରାନ୍ତରୁ ସଂଗୃହୀତ ସମସ୍ତଙ୍କ ମତାମତ ଆଧାରରେ ଏହି ଇସ୍ତାହାର ପ୍ରସ୍ତୁତ କରାଯାଇଛି। ବିଜେପିର ବିଚାରଧାର କାହା ପ୍ରତି ତୁଷ୍ଟିକରଣ ନୁହେଁ ବରଂ ସମସ୍ତଙ୍କୁ ସମାନ ଦେଖିବା ବୋଲି ନଡ୍ଡା କହିଛନ୍ତି । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ଏବଂ ଦଳର ବର୍ଷୀୟାନ୍‌ ନେତା ବି. ଏସ୍‌. ୟେଦିୟୁରପ୍ପା ମଧ୍ୟ ଉପସ୍ଥିତ ଥିଲେ।

ବିଜେପି ର ନିର୍ବାଚନ ଇସ୍ତାହାର ମୁତାବକ ଉଚ୍ଚସ୍ତରୀୟ କମିଟିର ସୁପାରିସକୁ ଆଧାର କରି ରାଜ୍ୟରେ ‘ୟୁନିଫର୍ମ ସିଭିଲ୍‌ କୋଡ୍‌’ ବା ଏକକ ନାଗରିକ ସଂହିତା ପ୍ରଣୟନ କରାଯିବ । ଏଥିରେ ଥିବା ଅନ୍ୟାନ୍ୟ ପ୍ରତିଶ୍ରୁତି ମଧ୍ୟରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାରଗୁଡ଼ିକୁ ମାସିକ ରେସନ୍‌ କିଟ୍‌, ଅନୁସୂଚିତ ଜାତି/ଜନଜାତି ମହିଳମାନଙ୍କ ପାଇଁ ‘ଫିକ୍ସଡ୍‌ ଡିପୋଜିଟ୍’ ଯୋଜନା ଏବଂ କର୍ଣ୍ଣାଟକକୁ ଇଲେକ୍ଟ୍ରିକ୍‌ ଯାନବାହନର ‘ହବ୍‌’ କରିବାର ଯୋଜନା ଇତ୍ୟାଦି ଘୋଷଣା କରାଯାଇଛି । ଏହାଛଡ଼ା, ‘ବିପିଏଲ୍‌’ ପରିବାରକୁ ବର୍ଷକୁ ୩ଟି (ୟୁଗାଡ଼ି, ଗଣେଶ ଚତୁର୍ଥୀ ଓ ଦୀପାବଳି) ମାଗଣା ରନ୍ଧନ ଗ୍ୟାସ୍‌ ସିଲିଣ୍ଡର୍‌ ଯୋଗାଇ ଦିଆଯିବ ।

Exit mobile version