Site icon ଆଜିକାଲି

ବଜରଙ୍ଗ ଦଳକୁ ବ୍ୟାନ୍ ଯୋଜନା ବିରୋଧରେ ଆଜି ପୂରା କର୍ଣ୍ଣାଟକରେ ‘ହନୁମାନ ଚାଳିଶା’ ପାଠ କରିବ ବିଜେପି

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପ୍ରଚାରରେ ଏବେ ‘ବଜରଚଙ୍ଗବଲୀ’ଙ୍କୁ ମୁଖ୍ୟ ପ୍ରସଙ୍ଗ କରିଛି ବିଜେପି । କଂଗ୍ରେସ ନିଜ ନିର୍ବାଚନୀ ଇସ୍ତାହାରରେ ‘ବଜରଙ୍ଗ ଦଳ’କୁ ବ୍ୟାନ୍ କରିବାକୁ ପ୍ରତିଶ୍ରୁତି ପରେ ବିଜେପି ଏହି ପ୍ରସଙ୍ଗରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏବେ କର୍ଣ୍ଣାଟକରେ କରୁଥିବା ସଭାରେ ଜୟ ବଜରଙ୍ଗବଲୀ ସ୍ଲୋଗାନରୁ ନିଜ ଭାଷଣ ଆରମ୍ଭ କରୁଛନ୍ତି। ବଜରଙ୍ଗ ଦଳକୁ ବ୍ୟାନ୍ ପାଇଁ କଂଗ୍ରେସର ଯୋଜନା ବିରୋଧରେ ବିଜେପି ଗୁରୁବାର ସମଗ୍ର କର୍ଣ୍ଣାଟକରେ ‘ହନୁମାନ ଚାଳିଶା’ ପାଠ ଆୟୋଜନ କରିବ। ବଜରଙ୍ଗ ଦଳ ମଧ୍ୟ କର୍ଣ୍ଣାଟକରେ ‘ହନୁମାନ ଚାଳିଶା’ ପଠନ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି ।

କେନ୍ଦ୍ର ମନ୍ତ୍ରୀ ଶୋଭା କରନ୍ଦଲାଜେ କହିଛନ୍ତି, କଂଗ୍ରେସ ନେତା କହୁଛନ୍ତି ବିଜେପି କର୍ମୀମାନେ ହନୁମାନ ଚାଳିଶା କିପରି ପାଠ କରାଯାଏ ଜାଣି ନାହାଁନ୍ତି । ହନୁମାନ ଚାଳିଶା କିପରି ପାଠ କରାଯାଏ ତାହା ଦେଖିବା ଓ ଶୁଣିବା ପାଇଁ ମୁଁ ସୁରଜେୱାଲାଙ୍କୁ ଆସିବାକୁ ନିମନ୍ତ୍ରଣ କରିଛି | ଶୋଭା କରନ୍ଦଲାଜେ ଏହି କାର୍ଯ୍ୟକ୍ରମରେ ଭାଗ ନେବାକୁ କର୍ଣ୍ଣାଟକର ସବୁ ଲୋକଙ୍କୁ ଅନୁରୋଧ କରିଛନ୍ତି ।

କର୍ଣ୍ଣାଟକ ନିର୍ବାଚନରେ କଂଗ୍ରେସ ନିଜର ଇସ୍ତାହାରରେ ବଜରଙ୍ଗ ଦଳକୁ ନିଷିଦ୍ଧ ସଂଗଠନ ‘ପିଏଫ୍ଆଇ’ ସହ ତୁଳନା କରି ଏହାକୁ ବ୍ୟାନ୍ କରିବ ବୋଲି ଘୋଷଣା କରିଥିଲା । ଜାତି ଓ ଧର୍ମ ଆଧାରରେ ବିଭିନ୍ନ ସମ୍ପ୍ରଦାୟ ବିରୋଧରେ ଘୃଣା ପ୍ରସାର କରୁଥିବା ବ୍ୟକ୍ତିବିଶେଷ ଏବଂ ସଂଗଠନ ବିରୋଧରେ ଦୃଢ ଏବଂ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କଂଗ୍ରେସ ପ୍ରତିଶ୍ରୁତି ଦେଇଥିଲା । ‘ପିଏଫ୍ଆଇ’ ସହ ବଜରଙ୍ଗ ଦଳକୁ ତୁଳନା ଓ ବ୍ୟାନ୍ ନେଇ ଯୋଜନା ପାଇଁ କଂଗ୍ରେସ ଉପରେ ବିଜେପି ଆକ୍ରମଣ ଜୋରଦାର କରିଛି ।

Exit mobile version