Site icon ଆଜିକାଲି

ଲୋକଙ୍କ ଉପରେ ଜୋର୍ ଜବରଦସ୍ତି ୟୁସିସି ଲାଗୁ କରିବାକୁ ଚାହୁଁଛି ବିଜେପି: ଚିଦାମ୍ବରମ

ନୂଆଦିଲ୍ଲୀ: ଦେଶରେ ୟୁନିଫର୍ମ ସିଭିଲ କୋଡ୍ (ୟୁସିସି) ବା ସମାନ ନାଗରିକ ସଂହିତା ଲାଗୁ କରିବା ସପକ୍ଷରେ ପ୍ରଧାନମନ୍ତ୍ରୀଙ୍କ ନରେନ୍ଦ୍ର ମୋଦୀଙ୍କ ଓକିଲାତିକୁ ବିରୋଧ କରିଛି କଂଗ୍ରେସ । କଂଗ୍ରେସ ନେତାମାନେ ଏହାକୁ କେନ୍ଦ୍ରର ଧ୍ୟାନ ହଟାଇବା ରଣନୀତି ବୋଲି କହିଛନ୍ତି। କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ ଅଭିଯୋଗ କରିଛନ୍ତି ଯେ ମୋଦୀ ସରକାର ୟୁସିସିକୁ ନିର୍ବାଚନୀ ଅସ୍ତ୍ର ଭାବେ ବ୍ୟବହାର କରୁଛି ।

ଚିଦାମ୍ବରମ୍ କହିଛନ୍ତି ଯେ ୟୁସିସିକୁ ଯଥାର୍ଥ ବୋଲି କହିବା ପୂର୍ବରୁ ଏକ ପରିବାର ଏବଂ ଦେଶ ମଧ୍ୟରେ ପାର୍ଥକ୍ୟ ଦେଖିବାକୁ ପଡ଼ିବ । ସେ କହିଛନ୍ତି ଯେ ୟୁନିଫର୍ମ ସିଭିଲ କୋଡ୍ ପାଇଁ ଓକିଲାତି କରୁଥିବାବେଳେ ପ୍ରଧାନମନ୍ତ୍ରୀ ଗୋଟିଏ ଦେଶକୁ ଗୋଟିଏ ପରିବାର ସହ ତୁଳନା କରିଛନ୍ତି। ଯଦିଓ ଏହା ଶୁଣିବାକୁ ଭଲ ଲାଗିପାରେ କିନ୍ତୁ ବାସ୍ତବତା ବହୁତ ଭିନ୍ନ |

ଚିଦାମ୍ବରମ୍ କହିଛନ୍ତି, ପ୍ରଧାନମନ୍ତ୍ରୀ ୟୁସିସିକୁ ଭଲ ବୋଲି କହୁଛନ୍ତି । କିନ୍ତୁ ସେ ବିଧି ଆୟୋଗର ଗତ ରିପୋର୍ଟ ପଢ଼ିବା ଉଚିତ, ଯେଉଁଥିରେ ଉଲ୍ଲେଖ କରାଯାଇଥିଲା ଯେ ସାମ୍ପ୍ରତିକ ସମୟରେ ଏହାକୁ ଲାଗୁ କରିବା ଠିକ୍ ହେବନି । ସେ କହିଛନ୍ତି ଯେ ଆଜି ବିଜେପିର କହିବା ଓ କରିବା ଭିତରେ ତଫାତ୍ ଯୋଗୁଁ ଦେଶ ବିଭାଜିତ ସ୍ଥିତିରେ ରହିଛି । ଯଦି ଲୋକଙ୍କ ଉପରେ ଜୋର ଜବରଦସ୍ତି ୟୁସିସି ଲାଗୁ କରାଯାଏ ତେବେ ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ବିଭାଜନ ଆହୁରି ବଢ଼ିବ |

ଉଲ୍ଲେଖଯୋଗ୍ୟ, ମଙ୍ଗଳବାର ଭୋପାଳରେ ଦଳୀୟ ନେତାଙ୍କ ଏକ କାର୍ଯ୍ୟକ୍ରମକୁ ସମ୍ବୋଧନ କଲାବେଳେ ପ୍ରଧାନମନ୍ତ୍ରୀ ମୋଦୀ ୟୁସିସି ସପକ୍ଷରେ ଓକିଲାତି କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ୟୁନିଫର୍ମ ସିଭିଲ କୋଡ ନାମରେ ଲୋକଙ୍କୁ ଉସୁକାଉଛନ୍ତି‌ ବିରୋଧୀ । ଯଦି ଗୋଟିଏ ଘରେ ଜଣେ ସଦସ୍ୟ ପାଇଁ ଏକ ନିୟମ ଏବଂ ଅନ୍ୟ ପାଇଁ ଅଲଗା ନିୟମ ଥାଏ ତେବେ ଘର ଚାଲିବ କିପରି ? ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ବୟାନ ପରେ ବିରୋଧୀ ଦଳ ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣାଇଛନ୍ତି ।

Exit mobile version