Site icon ଆଜିକାଲି

୫ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ଆଜି ବସିବ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ

ନୂଆଦିଲ୍ଲୀ : ବୁଧବାର ସନ୍ଧ୍ୟାରେ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ଦିଲ୍ଲୀରେ ବସିବ । ଚଳିତବର୍ଷ ଶେଷ ଆଡ଼କୁ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ପ୍ରସ୍ତୁତି ଉପରେ ବୈଠକରେ ଚର୍ଚ୍ଚା ହେବ । ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂହ, ଅମିତ ଶାହ ଓ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ସମସ୍ତ ୧୫ ଜଣ ସିଇସି ସଦସ୍ୟ ସାମିଲ୍ ହେବେ ।

୫ ରାଜ୍ୟ- ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ, ତେଲଙ୍ଗାନା ଓ ମିଜୋରାମରେ ନିର୍ବାଚନ ହେବ । ନିର୍ବାଚନକୁ ନେଇ ବିଜେପି ଆରମ୍ଭ କରିଛି ପ୍ରସ୍ତୁତି । ସୂତ୍ର ଅନୁସାରେ, ଦଳ ଦୁର୍ବଳ ଥିବା ଆସନରେ ମଜଭୁତ କିଭଳି ହେବ ସେ ନେଇ ବୈଠକରେ ବିଚାର ବିମର୍ଶ କରାଯିବ । ଏଥିସହ ପ୍ରାର୍ଥୀ ବାଛିବା ଓ ପ୍ରଚାରଣ ରଣନୀତି ନେଇ ଆଲୋଚନା ହେବାର ସମ୍ଭାବନା ରହିଛି । ଅଧିକ ଧ୍ୟାନ କେନ୍ଦ୍ରିତ କରିବାକୁ ଥିବା ନିର୍ବାଚନ ମଣ୍ଡଲୀ ଗୁଡ଼ିକର ଏକ ତାଲିକା ପ୍ରସ୍ତୁତ କରିଛି ବିଜେପି ।

ଦଳର ରାଜ୍ୟ ନେତୃତ୍ୱ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ରାଜ୍ୟରେ ଲାଗୁ ସହ କିଭଳି ଲୋକଙ୍କ ପାଖରେ ପହଞ୍ଚୁଛି ତାର ତଥ୍ୟ ଦେବେ । ବୈଠକରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, ମଧ୍ୟପ୍ରଦେଶ ବିଜେପି ସଭାପତି ବିଡି ଶର୍ମା ଓ ଅନ୍ୟ ପ୍ରମୁଖ ନେତା ସାମିଲ୍ ହେବେ । ଚଳିତବର୍ଷ ଶେଷ ଆଡ଼କୁ ୫ ରାଜ୍ୟରେ ନିର୍ବାଚନ ହେବାକୁ ଥିବାବେଳେ ବିଜେପି କେବଳ ମଧ୍ୟପ୍ରଦେଶରେ କ୍ଷମତାରେ ଅଛି ।

ସାଧାରଣତଃ ରାଜ୍ୟରେ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରେ ବିଜେପି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥାଏ । ସୂତ୍ର ଅନୁସାରେ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିଜେପିର ସ୍ଥିତି ମଜଭୁତ ରହିଛି । ଯାହାକୁ ଦେଖି ଦଳ ନିର୍ବାଚନ ପୂର୍ବରୁ ଆଗୁଆ ପ୍ରାର୍ଥୀ ଘୋଷଣା ନେଇ ବୈଠକରେ ଚର୍ଚ୍ଚା କରିପାରେ ।

ଆଜିର ବୈଠକରେ ମଧ୍ୟପ୍ରଦେଶର ୬୦ରୁ ୭୦ ଆସନ ଏବଂ ଛତିଶଗଡ଼ର ୩୦ରୁ ୪୦ ଆସନ ଉପରେ ଆଲୋଚନା ହୋଇପାରେ । ମଧ୍ୟପ୍ରଦେଶରେ ଏବେ ବିଜେପି ସରକାର ଥିବା ବେଳେ ଗତ ନିର୍ବାଚନ ଭଳି ଫଳ ନ ହେଉ । ଏଥିପାଇଁ ବିଜେପି ନୂଆ ରଣନୀତି ପ୍ରସ୍ତୁତ କରୁଛି । ନୂଆ ରଣନୀତି ଅନୁସାରେ, ଦଳ ନିର୍ବାଚନ ପୂର୍ବରୁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିପାରେ ।

Exit mobile version