Site icon ଆଜିକାଲି

ଦୃଷ୍ଟିହୀନ ଟି-୨୦ ବିଶ୍ୱକପ: ଭାରତ ତୃତୀୟ ଥର ଚାମ୍ପିୟନ

ବେଙ୍ଗାଲୁରୁ: ଭାରତ ପୁଣି ଦୃଷ୍ଟିହୀନ ଟି-୨୦ ବିଶ୍ୱକପ ଟାଇଟଲ୍ ଜିତିଛି । ଶନିବାର ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ୍ ମ୍ୟାଚରେ ଭାରତ ୧୨୦ ରନରେ ବାଂଲାଦେଶକୁ ହରାଇ ଟାଇଟଲ୍ ବଜାୟ ରଖିଛି । ଭାରତ ତୃତୀୟ ଥର ପାଇଁ ଏହି ଟାଇଟଲ ଜିତିଛି। ଏହାପୂର୍ବରୁ ଭାରତ ୨୦୧୨ ଏବଂ ୨୦୧୭ରେ ଚାମ୍ପିୟନ ହୋଇଥିଲା । ତୃତୀୟ ଥର ବିଶ୍ୱକପ ବିଜୟ ପାଇଁ ଟିମ୍ ଇଣ୍ଡିଆକୁ ପୂର୍ବତନ କ୍ରିକେଟରଙ୍କ ସମେତ ପ୍ରଶଂସକମାନେ ଅଭିନନ୍ଦନ ଜଣାଇଛନ୍ତି।

ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିବା ଟାଇଟଲ ମ୍ୟାଚରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତ ୨୯ ରନରେ ୨ ୱିକେଟ୍ ହରାଇ ଅସୁବିଧାରେ ପଡ଼ିଥିଲା । ତେବେ ସୁନୀଲ ରମେଶ ଓ ଅଧିନାୟକ ଅଜୟ କୁମାର ରେଡ୍ଡୀ ଧୂଆଁଧାର ଶତକ ବଳରେ ଭାରତ ୨ ୱିକେଟ୍ ହରାଇ ୨୭୭ ରନ୍ କରିଥିଲା। ଦଳ ତରଫରୁ ଇନିଂସ ଓପନ୍ କରିଥିବା ସୁନୀଲ ରମେଶ ୬୩ ବଲରେ ୧୩୬ ରନ୍ କରିଥିଲେ। ଅଧିନାୟକ ଅଜୟ କୁମାର ରେଡ୍ଡୀ ୫୦ ବଲରେ ୧୦୦ ରନର ଇନିଂସ ଖେଳିଥିଲେ। ଏହି ଦୁଇ ଖେଳାଳି ତୃତୀୟ ୱିକେଟ୍ ପାଇଁ ୨୪୭ ରନର ବୃହତ ଭାଗିଦାରୀ କରିଥିଲେ ।

୨୭୮ ରନ୍‌ର ଲକ୍ଷ୍ୟକୁ ପିଛା କରିବାକୁ ଯାଇ ବାଂଲାଦେଶ ଦଳ ନିର୍ଦ୍ଧାରିତ ୨୦ ଓଭରରେ ମାତ୍ର ୧୫୭ ରନ୍ କରିବାକୁ ସକ୍ଷମ ହୋଇଥିଲା । ଭାରତର ବୋଲିଂ ଆଗରେ ବାଂଲାଦେଶ ବ୍ୟାଟ୍ସମ୍ୟାନ୍ ଅସହାୟ ମନେ ହୋଇଥିଲେ। ଭାରତ ପକ୍ଷରୁ ଲଲିତ ମୀନା ଏବଂ ଅଜୟ କୁମାର ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ଭାରତ ଏଥର ଦୃଷ୍ଟିହୀନ ଟି-୨୦ ବିଶ୍ୱକପ ଆୟୋଜନ କରିଥିଲା । ପରବର୍ତ୍ତୀ ସଂସ୍କରଣ ୨୦୨୪ ମସିହାରେ ପାକିସ୍ତାନରେ ଖେଳାଯିବ |

Exit mobile version