Site icon ଆଜିକାଲି

ତୁର୍କୀରେ ନିଖୋଜ ଥିବା ଭାରତୀୟ ନାଗରିକଙ୍କ ମୃତଦେହ ମିଳିଲା

ନୂଆଦିଲ୍ଲୀ : ତୁର୍କୀରେ ଭୟଙ୍କର ଭୂମିକମ୍ପ ପରେ ନିଖୋଜ ଥିବା ଜଣେ ୩୫ ବର୍ଷୀୟ ଭାରତୀୟ ନାଗରିକଙ୍କ ମୃତଦେହ ମିଳିଛି । ତୁର୍କୀର ପୂର୍ବ ଆନାଟୋଲିଆ ଅଞ୍ଚଳର ମାଲଟ୍ୟା ସହରର ଏକ ହୋଟେଲ ଭଗ୍ନାବଶେଷ ତଳୁ ଶନିବାର ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ମୃତକ ଉତ୍ତରାଖଣ୍ଡର ପୌଡ଼ି ଗରୱାଲ ନିବାସୀ ବିଜୟ କୁମାର ବୋଲି ଜଣାପଡିଛି । ସେ ବାଙ୍ଗାଲୋର ସ୍ଥିତ ଏକ କମ୍ପାନୀରେ କାମ କରୁଥିଲେ। ସେ ଏକ ପ୍ରୋଜେକ୍ଟ କାମ ପାଇଁ ଜାନୁଆରୀ ୨୩ରେ ତୁର୍କୀ ଯାଇଥିଲେ ଓ ପୂର୍ବ ଆନାଟୋଲିଆ ଅଞ୍ଚଳର ମାଲଟ୍ୟା ସହରର ଏକ ୨୪ ମହଲା ହୋଟେଲରେ ରହିଥିଲେ | ପରିବାର ଲୋକଙ୍କ ପାଖକୁ ପଠାଯାଇଥିବା ଏକ ଫଟୋ ରୁ ସେମାନେ ତାଙ୍କ ମୃତଦେହ ଚିହ୍ନଟ କରିଛନ୍ତି । ତାଙ୍କ ବାମହାତରେ ଏକ ଟାଟୁରୁ ପରିବାର ଲୋକ ତାଙ୍କୁ ଚିହ୍ନଟ କରିଥିଲେ ।

ସୋମବାର ଭୋର୍ ସମୟରେ ଭୂକମ୍ପ ହୋଇଥିବା ବେଳେ କୁମାର ଉକ୍ତ ୨୪ ମହଲା ହୋଟେଲ କୋଠାର ଦ୍ୱିତୀୟ ମହଲାର ଏକ ରୁମରେ ଶୋଇଥିଲେ ବୋଲି ମନେ କରାଯାଉଛି । ଶୁକ୍ରବାରର ସର୍ଚ୍ଚ ଅପରେସନ୍ ବେଳେ ବିଜୟ କୁମାରଙ୍କ ପାସପୋର୍ଟ ଓ କିଛି ଜିନିଷପତ୍ର ମିଳିଥିଲା । ଅନ୍ୟପକ୍ଷରେ ତୁର୍କୀ ଓ ସିରିଆରେ ପ୍ରଳୟଙ୍କରୀ ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ୨୫ ହଜାର ଟପିଛି । ଏଥିମଧ୍ୟରୁ ତୁର୍କୀରେ ହିଁ ଏଯାବତ୍ ୨୦,୬୦୦ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ସିରିଆରେ ୪,୪୦୦ ଲୋକ ପ୍ରାଣ ହରାଇଛନ୍ତି।

Exit mobile version