Site icon ଆଜିକାଲି

ମେହରୌଲି ଓ ଗୁରୁଗ୍ରାମ ଜଙ୍ଗଲରୁ ଜବତ ହାଡ଼ ଶ୍ରଦ୍ଧାଙ୍କର, ଡିଏନଏ ଟେଷ୍ଟରୁ ହେଲା ସ୍ପଷ୍ଟ

ନୂଆଦିଲ୍ଲୀ: ଶ୍ରଦ୍ଧା ହତ୍ୟା ମାମଲାରେ ଦିଲ୍ଲୀ ପୋଲିସକୁ ବଡ଼ ସଫଳତା ମିଳିଛି। ଜବତ ହୋଇଥିବା ହାଡ଼ ଶ୍ରଦ୍ଧାଙ୍କର ବୋଲି ସ୍ପଷ୍ଟ ହୋଇଛି । ଜବତ ହାଡ଼ ଶ୍ରଦ୍ଧାଙ୍କର ବାପାଙ୍କ ଡିଏନ୍ଏ ନମୁନା ସହ ମେଳ ଖାଉଛି | ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ ହାଡଗୁଡ଼ିକ ଶ୍ରଦ୍ଧାଙ୍କର ଥିଲା। ମେହରୌଲି ଓ ଗୁରୁଗ୍ରାମ ଜଙ୍ଗଲରୁ ଦିଲ୍ଲୀ ପୋଲିସ ଜବତ କରିଥିବା ହାଡ଼ ଗୁଡିକର ନମୁନାକୁ ସିଏଫ୍ଏସ୍ଏଲକୁ ପଠାଯାଇଥିଲା | ଅଭିଯୁକ୍ତ ଆଫତାବଙ୍କ ବୟାନ ଆଧାରରେ ଏହି ସମସ୍ତ ହାଡ ଉଦ୍ଧାର କରାଯାଇଥିଲା। ଆଫତାବଙ୍କ ପଲିଗ୍ରାଫ୍ ଟେଷ୍ଟର ରିପୋର୍ଟ ମଧ୍ୟ ଦିଲ୍ଲୀ ପୋଲିସ ପାଇଛି।

ଦିଲ୍ଲୀ ପୋଲିସ ସୂତ୍ରରୁ ପ୍ରକାଶ ଯେ ବର୍ତ୍ତମାନ ଡିଏନ୍ଏ ଏବଂ ପଲିଗ୍ରାଫ୍ ବିଷୟରେ ଦୁଇଟି ରିପୋର୍ଟ ଆସିଛି। ନାର୍କୋର ତୃତୀୟ ରିପୋର୍ଟ ଏପର୍ଯ୍ୟନ୍ତ ଆସି ନାହିଁ | ଏହାକୁ ବିଶ୍ଳେଷଣ କରାଯିବ | ପୋଷ୍ଟ ମର୍ଟମ ପରୀକ୍ଷା ପାଇଁ ଜବତ ଅଙ୍ଗ ମଧ୍ୟ ଏମ୍ସକୁ ପଠାଯିବ | ବୁଧବାର ସନ୍ଧ୍ୟାରେ ଡିଏନ୍ଏ ରିପୋର୍ଟ ମିଳିଛି। ତାଛଡ଼ା ଜଙ୍ଗଲରୁ ଜବତ ଶ୍ରଦ୍ଧାଙ୍କ କିଛି ପୋଷାକକୁ ଫୋରେନସିକ୍ ଟେଷ୍ଟ ପାଇଁ ପଠାଯାଇଛି। ରିପୋର୍ଟ ଆଧାରରେ କିଛି ପ୍ରଶ୍ନ ପ୍ରସ୍ତୁତ କରି ଡାକ୍ତରଙ୍କ ନିକଟକୁ ପଠାଯିବ, ଯେଉଁଠି ବି କିଛି ସନ୍ଦେହ ରହୁଛି, ସେଠାରେ ଡାକ୍ତରଙ୍କଠାରୁ ପୁଣି ଜବାବ ନିଆଯିବ। ଆଫତାବ ଓ ଶ୍ରଦ୍ଧା ରହୁଥିବା ଫ୍ଲାଟର ରୋଷେଇ ଘର, ବାଥରୁମ୍ ଓ ଶୋଇବା ଘରରୁ ମିଳିଥିବା ରକ୍ତ ନମୁନା ମଧ୍ୟ ଶ୍ରଦ୍ଧାଙ୍କ ସହ ମେଳ ଖାଉଛି। ପୋଲିସକୁ ହସ୍ତାନ୍ତର କରାଯାଇଥିବା ରକ୍ତ ନମୁନା ରିପୋର୍ଟରେ ସିଏଫ୍ଏସ୍ଏଲ୍ ଏହା ସ୍ପଷ୍ଟ କରିଛି।

ଦକ୍ଷିଣ ଦିଲ୍ଲୀର ମେହରୌଲି ସ୍ଥିତ ଭଡା ଘରେ ଲିଭ୍ ଇନ୍ ପାର୍ଟନର ଶ୍ରଦ୍ଧାଙ୍କୁ ହତ୍ୟା କରିଥିବା ଅଭିଯୋଗରେ ନଭେମ୍ବର ୧୩ରେ ଆଫତାବଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଥିଲା। ପୋଲିସ କହିଥିଲା ଯେ ଆଫତାବ ଶ୍ରଦ୍ଧାଙ୍କୁ ହତ୍ୟା କରି ତାଙ୍କ ଶରୀରକୁ ପ୍ରାୟ ୩୬ ଖଣ୍ଡରେ କାଟି ଦେଇଥିଲା । ଯାହାକୁ ସେ ପ୍ରାୟ ୩୦୦ ଲିଟର ଫ୍ରିଜରେ ପ୍ରାୟ ତିନି ସପ୍ତାହ ଧରି ରଖିଥିଲେ ଏବଂ ପରେ ତାହା ୧୮ ଦିନ ଧରି ବିଭିନ୍ନ ସ୍ଥାନରେ ଫିଙ୍ଗିଥିଲେ ।

FacebookTwitterLinkedinWhatsapp
Exit mobile version