Site icon ଆଜିକାଲି

ବକ୍ସିଂ ଡେ’ ଟେଷ୍ଟ ପାଇଁ ଉଭୟ ଦଳର ଜୋରଦାର ପ୍ରସ୍ତୁତି, ନେଟ୍‌ସରେ ଅଭ୍ୟାସ କଲେ ରୋହିତ-ବିରାଟ

ସେଞ୍ଚୁରିୟନ : ସୁପରସ୍ପୋର୍ଟ ପାର୍କ ଷ୍ଟାଡିୟମରେ ଆସନ୍ତା ୨୬ ତାରିଖ (ମଙ୍ଗଳବାର)ରୁ ଘରୋଇ ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ଆରମ୍ଭ ହେବ ବକ୍ସିଂ ଡେ’ ଟେଷ୍ଟ । ଉଭୟ ଦଳ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି ।

ତେବେ ରୋହିତ ବାହିନୀଙ୍କ ଚୂଡ଼ାନ୍ତ ଏକାଦଶକୁ ନେଇ ଚର୍ଚ୍ଚା ଚାଲିଛି । ସୁପରସ୍ପୋର୍ଟ ପାର୍କର ପିଚ୍‌ ପେସ୍‌ ବୋଲରଙ୍କୁ ସହାୟକ ହେବ । ଫଳରେ ଭାରତ ୪ ପେସ୍‌ ବୋଲର ଏବଂ ଜଣେ ସ୍ପିନରଙ୍କୁ ନେଇ ପଡ଼ିଆକୁ ଓହ୍ଲାଇବା ନିଶ୍ଚିତ । କେଏଲ୍‌ ରାହୁଲ ୱିକେଟ୍‌ କିପିଙ୍ଗ ଦାୟିତ୍ୱ ତୁଲାଇବେ ବୋଲି ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡ଼ ସ୍ପଷ୍ଟ କରିଛନ୍ତି । ଦ୍ରାବିଡ଼ କହିଛନ୍ତି, ଆଉ ଗୋଟିଏ ଦିନ ପରେ ପ୍ରଥମ ଟେଷ୍ଟ ଆରମ୍ଭ ହେବ । ମ୍ୟାଚ୍‌ରେ ବର୍ଷା ଆଶଙ୍କା ରହିଛି । ତେଣୁ ଏବେଠୁ ଚୂଡ଼ାନ୍ତ ଏକାଦଶକୁ ନେଇ ମତାମତ ଦେବା ଉଚିତ୍‌ ହେବନି । ପିଚ୍‌ ଓ ଜଳବାୟୁକୁ ଦେଖି ଏକାଦଶ ଚୟନ କରାଯିବ । ଏହାପରେ ଆମେ ୩ ପେସର ଓ ୨ ସ୍ପିନର କିମ୍ବା ୪ ପେସର ଓ ଜଣେ ସ୍ପିନର ନେଇ ଖେଳିବୁ ଜଣାପଡ଼ିବ ।’ ୱିକେଟ୍‌ କିପିଙ୍ଗ୍‌ ପାଇଁ କେଏଲ୍‌ ରାହୁଲ ପ୍ରଥମ ପସନ୍ଦ ରହିଛନ୍ତି । ଈଶାନ କିଷନ ଓହରିଯିବା ଫଳରେ ଶ୍ରୀକର ଭରତଙ୍କୁ ଦଳରେ ସାମିଲ୍‌ କରାଯାଇଥିଲା । କିନ୍ତୁ କେଏଲ୍‌ ୱିକେଟ କିପିଙ୍ଗ୍‌ କରିବେ । ମୁଁ ଏନେଇ କେଏଲ୍‌ଙ୍କ ସହ ଆଲୋଚନା କରିଛି । ସେ ଉତ୍ସାହିତ ରହିଛନ୍ତି ବୋଲି ଦ୍ରାବିଡ଼ କହିଛନ୍ତି ।

ସେହିପରି ଟେଷ୍ଟ ସିରିଜ୍‌ରୁ କୋହଲି, ରୋହିତ ଜୋରଦାର ଅଭ୍ୟାସ କରିଛନ୍ତି । ବ୍ୟକ୍ତିଗତ କାରଣ ଦର୍ଶାଇ ଇଂଲଣ୍ଡ ଯାତ୍ରା କରିଥିବା ବିରାଟ କୋହଲି ଏବେ ଦଳ ସହ ଯୋଗ ଦେଇଛନ୍ତି । ସେ ଅଧଘଣ୍ଟାରୁ ଅଧିକ ସମୟ ବ୍ୟାଟିଂ କରିଥିଲେ । ଅନ୍ୟ ପଟେ ରୋହିତ ବି ଦୀର୍ଘ ସମୟ ଧରି ବ୍ୟାଟିଂ ଅଭ୍ୟାସ କରିଥିଲେ । ସେ ଉଭୟ ପେସ୍‌ ଓ ସ୍ପିନ ବୋଲରଙ୍କ ସମ୍ମୁଖୀନ ହୋଇଥିଲେ । ଦିନିକିଆ ବିଶ୍ୱକପ୍‌ ଫାଇନାଲ୍‌ ପରାଜୟ ପରେ ରୋହିତ ଘରେ ୩ ସପ୍ତାହ କଟାଇଥିଲେ । ଏପରିକି ଗଣମାଧ୍ୟମଠୁ ଦୂରେଇ ରହିଥିଲେ ।

Exit mobile version