Site icon ଆଜିକାଲି

ଇସ୍ତଫା ଦେବାକୁ ମନାକଲେ ବ୍ରିଜଭୂଷଣ, ରେସଲରଙ୍କ ଉଦ୍ଦେଶ୍ୟ ନେଇ ପ୍ରଶ୍ନ ଉଠାଇଲେ

ନୂଆଦିଲ୍ଲୀ: ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ତଥା ତାଙ୍କ ଇସ୍ତଫା ଦାବି ଉପରେ ଭାରତୀୟ କୁସ୍ତି ମହାସଂଘ ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂହ ନିଜ ପକ୍ଷ ରଖିଛନ୍ତି । ରେସଲରଙ୍କ ଅଭିଯୋଗ ଭିତ୍ତିହୀନ ବୋଲି ସେ କହିଛନ୍ତି ।

ବ୍ରିଜ ଭୂଷଣ ଶରଣ ସିଂ ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, “ଇସ୍ତଫା ବଡ଼ କଥା ନୁହେଁ, କିନ୍ତୁ ମୁଁ ଅପରାଧୀ ହୋଇ ଇସ୍ତଫା ଦେବି ନାହିଁ। ମୁଁ ଅପରାଧୀ ନୁହେଁ। ”

ରେସଲରଙ୍କ ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠାଇ ବ୍ରିଜଭୂଷଣ କହିଛନ୍ତି ଖେଳାଳିମାନେ ବାରମ୍ବାର ସେମାନଙ୍କ ଦାବି ବଦଳାଉଛନ୍ତି । ଯଦି ଆପଣ ରେସଲରଙ୍କ ପୁରୁଣା ବୟାନ ଶୁଣନ୍ତି, ତେବେ ଜାନୁଆରୀରେ ସେମାନେ ମୋର ଇସ୍ତଫା ଦାବି କରିଥିଲେ। ମୁଁ ସେତେବେଳେ କହିଥିଲି, ଏହି (କୁସ୍ତି ସଂଘ ସଭାପତି) ପଦରୁ ଇସ୍ତଫା ଦେବା ଅର୍ଥ ମୁଁ ତାଙ୍କ ଅଭିଯୋଗକୁ ମାନିନେବା।

ବ୍ରିଜଭୂଷଣ କହିଛନ୍ତି କିଛି ନ୍ୟସ୍ତ ସ୍ୱାର୍ଥ ଗୋଷ୍ଠୀ ତାଙ୍କ ବିରୋଧରେ ରେସଲରଙ୍କୁ ଅସ୍ତ୍ର ଭାବେ ବ୍ୟବହାର କରୁଛନ୍ତି । କେବଳ ହରିୟାଣାର ଖେଳାଳି ଓ ଗୋଟିଏ ପରିବାର ହିଁ କାହିଁକି ଯୌନ ନିର୍ଯାତନା ଅଭିଯୋଗ କରୁଛନ୍ତି ? ଅନ୍ୟ ରାଜ୍ୟର ଖେଳାଳି କାହିଁକି ଏହି ଆନ୍ଦୋଳନରେ ସାମିଲ ହେଉ ନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।

ପ୍ରଥମେ ସେମାନେ ମୋ‌ ବିରୋଧରେ ଏଫ୍ଆଇଆର୍ ରୁଜୁ କରିବାକୁ ଦାବି କଲେ । ତାଙ୍କ ଦାବି ଗ୍ରହଣ କରାଗଲା । ଏବେ ସେମାନେ ଦାବି କରୁଛନ୍ତି ଯେ ମୁଁ ସାଂସଦ ପଦ ସହ ଅନ୍ୟ ପଦପଦବୀରୁ ଇସ୍ତଫା ଦେବାକୁ ପଡ଼ିବ । ମତେ ସାଂସଦ ପଦ ବିନେଶ ଫୋଗଟ୍ ଦେଇନାହାଁନ୍ତି। ଲୋକେ ମୋତେ ଜିତାଇଛନ୍ତି। ଥରେ ନୁହେଁ ୬-୬ ଥର ସାଂସଦ ହୋଇଛି । କୁସ୍ତି ସଂଘ ପଦ ମଧ୍ୟ ନିର୍ବାଚନ ଲଢ଼ି ପାଇଛି ।

ତାଙ୍କ କହିବାନୁସାରେ, କୁସ୍ତି ସଂଘରେ ତାଙ୍କ କାର୍ଯ୍ୟକାଳ ପ୍ରାୟତଃ ଶେଷ ହୋଇଛି । ବର୍ତ୍ତମାନ ସରକାର ଭାରତୀୟ ଅଲିମ୍ପିକ୍ ସଂଘ (ଆଇଓଏ)ର ଏକ କମିଟି ଗଠନ କରିଛନ୍ତି । ଏହି ତିନି ଜଣିଆ କମିଟିର ତତ୍ତ୍ଵାବଧାନରେ ୪୫ ଦିନ ମଧ୍ୟରେ କୁସ୍ତି ସଂଘ ନିର୍ବାଚନ ସମ୍ପନ୍ନ ହେବ। ନିର୍ବାଚନ ସରିବା ମାତ୍ରେ ମୋର କାର୍ଯ୍ୟକାଳ ସ୍ବତଃ ଶେଷ ହେବ |

ମହିଳା କୁସ୍ତିଯୋଦ୍ଧାଙ୍କ ଯୌନ ନିର୍ଯାତନା ଅଭିଯୋଗ ଆଧାରରେ ଦିଲ୍ଲୀ ପୋଲିସ ଶୁକ୍ରବାର ରାତିରେ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଦୁଇଟି ଏଫଆଇଆର ରୁଜୁ କରିଥିଲା ।

ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲେ ମଧ୍ୟ ସେମାନଙ୍କ ଆନ୍ଦୋଳନ ଜାରି ରହିବ ବୋଲି ରେସଲରମାନେ କହିଛନ୍ତି । ସେମାନେ କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ଆଦେଶକୁ ଆମେ ସମ୍ମାନ କରୁଛୁ । କିନ୍ତୁ ଦିଲ୍ଲୀ ପୋଲିସ ଉପରେ ଆମର ଭରସା ନାହିଁ । ବ୍ରିଜଭୂଷଣଙ୍କ ବିରୋଧରେ ଦିଲ୍ଲୀ ପୋଲିସ କୋହଳ ଦଫା ଲଗାଇ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିପାରେ । ବ୍ରିଜଭୂଷଣଙ୍କୁ ଗିରଫ କରାଯାଉ । ତାଙ୍କୁ ସାଂସଦ ଓ ସମସ୍ତ ସାମ୍ବିଧାନିକ ପଦରୁ ହଟାଯାଉ ବୋଲି ରେସଲରମାନେ ଦାବି କରିଛନ୍ତି ।

Exit mobile version