Site icon ଆଜିକାଲି

ଲୋକଙ୍କ ନିକଟରେ ପହଞ୍ଚାଅ ସରକାରୀ ଯୋଜନା: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଆସନ୍ତା ଫେବୃଆରୀ ୧ ତାରିଖରେ ପୂର୍ଣ୍ଣକାଳୀନ ବଜେଟ୍ ଉପସ୍ଥାପନ କରିବେ କେନ୍ଦ୍ର ସରକାର। ୨୦୨୪ ନିର୍ବାଚନ ପୂର୍ବରୁ ଚଳିତ ବିଜେପି ସରକାରଙ୍କର ଏବା ଶେଷ ବଜେଟ୍‌ । ଏହି ପରିପ୍ରେକ୍ଷୀରେ ଗତ ରବିବାର ମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୈଠକ କରିଥିଲେ। ବୈଠକରେ କ୍ୟାବିନେଟ୍ ସେକ୍ରେଟେରୀ ୨୦୧୪ ପର ଠାରୁ ମୋଦୀ ସରକାରଙ୍କ ଦ୍ୱାରା ନିଆଯାଇଥିବା ସମସ୍ତ ନିଷ୍ପତ୍ତି ଓ ଯୋଜନା ସମ୍ପର୍କରେ ପ୍ରେଜେଣ୍ଟେସନ ଦେଇଥିଲେ। ପ୍ରେଜେଣ୍ଟେସନ ଦେଖି ସାରିବା ପରେ କେନ୍ଦ୍ର ସରକାରଙ୍କର ସମସ୍ତ ନିଷ୍ପତ୍ତିକୁ ପ୍ରତ୍ୟେକ ଘରେ ପହଞ୍ଚାଇବାକୁ ପ୍ରଧାନମନ୍ତ୍ରୀ କହିଥିଲେ। ପ୍ରତ୍ୟେକ ମନ୍ତ୍ରାଳୟର କାମକୁ ନିର୍ଭୟରେ ଦେଶବାସୀଙ୍କ ପାଖରେ ପହଞ୍ଚାଇବାକୁ ପ୍ରଧାନମନ୍ତ୍ରୀ ବିଭାଗୀୟ ମନ୍ତ୍ରୀମାନଙ୍କୁ ଉପଦେଶ ଦେଇଥିବା ସୂଚନା ମିଳିଛି।

ଯେଉଁ ମଧ୍ୟବିତ୍ତ ପରିବାର ମୋଦୀ ସରକାର ଆସିବାରେ ସହଯୋଗ କରିଛନ୍ତି ବିଭାଗୀୟ ମନ୍ତ୍ରୀମାନେ ସେମାନଙ୍କ ମନ୍ତ୍ରାଳୟର ଥିବା ସମସ୍ତ ସୁବିଧା ସୁଯୋଗକୁ ଜଣାଇବାକୁ ସେମାନଙ୍କ ପାଖରେ ପହଞ୍ଚନ୍ତୁ ବୋଲି ପ୍ରଧାନମନ୍ତ୍ରୀ ଚାହିଁଛନ୍ତି। ମନ୍ତ୍ରାଳୟର କାମ ବିଷୟରେ ଲୋକମାନେ ସୋସିଆଲ୍‌ ମିଡିଆରେ ଜାଣିବା ନିହାତି ଦରକାର।

ସେହିପରି ଜି-୨୦ର ଅଧ୍ୟକ୍ଷତା ମିଳିବା ଭାରତର ବଡ଼ ସଫଳତା। ତେଣୁ ଏହାକୁ ଅଧିକରୁ ଅଧିକ ପ୍ରଚାର ପ୍ରସାର କରିବା ଦରକାର ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କେବଳ ସେତିକି ନୁହେଁ ସାମାଜିକ ଓ ସାଂସ୍କୃତିକ କ୍ଷେତ୍ରରେ ମୋଦୀ ସରକାରଙ୍କର ସଫଳତାର ପ୍ରଚାର ପ୍ରସାର ହେବା ଦରକାର। ଗରିବ ଲୋକଙ୍କ ପାଇଁ ହୋଇଥିବା ଯୋଜନାଗୁଡ଼ିକ ସେମାନଙ୍କ ପାଖରେ ପହଞ୍ଚିବା ଦରକାର। ଯୋଜନା ବିଷୟରେ ସେମାନେ ଜାଣିବା ଦରକାର ବୋଲି ମୋଦୀ ନିର୍ଦ୍ଦେଶ ଦେଇଥିବା ଖବର ମିଳିଛି।

Exit mobile version