Site icon ଆଜିକାଲି

ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ଘୋଷଣା କଲେ ବ୍ରଡ୍‌

ଲଣ୍ଡନ: ବିଶ୍ବର ଅନ୍ୟତମ ମହାନ୍ ପେସ୍ ବୋଲର୍ ଇଂଲଣ୍ଡ ଭେଟେରାନ୍ ଷ୍ଟୁଆର୍ଟ ବ୍ରଡ୍ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ଚଳିତ ପଞ୍ଚମ ଆସେସ ଟେଷ୍ଟ ତାଙ୍କ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ବୋଲି ବ୍ରଡ୍‌ କହିଛନ୍ତି । ୧୭ ବର୍ଷର ସଫଳ କ୍ୟାରିୟରରେ ୩୭ ବର୍ଷୀୟ ବ୍ରଡ୍‌ ୧୬୭ଟି ଟେଷ୍ଟ ଖେଳିଥିବା ବେଳେ ୩୬୫୪ ରନ୍ ସଂଗ୍ରହ କରିବା ସହ ୬୦୨ଟି ୱିକେଟ୍ ନେଇଛନ୍ତି ।

ଟେଷ୍ଟରେ ସର୍ବାଧିକ ଓ୍ବିକେଟ୍ ହାସଲକାରୀ ବୋଲରଙ୍କ ତାଲିକାରେ ବ୍ରଡ୍ ସମ୍ପ୍ରତି ପଞ୍ଚମ ସ୍ଥାନରେ ରହିଛନ୍ତି । ଚଳିତ ପଞ୍ଚମ ଆସେସ ଟେଷ୍ଟରେ ଆଉ ଗୋଟିଏ ଇନିଂସ ବାକି ରହିଛି । ଫଳରେ ବ୍ରଡ୍‌ଙ୍କ ୱିକେଟ୍ ସଂଖ୍ୟା ବୃଦ୍ଧି ପାଇବା ସମ୍ଭାବନା ଅଛି ।

ନିଜ ସଫଳ ଅନ୍ତର୍ଜାତୀୟ କ୍ୟାରିୟର ମଧ୍ୟରେ ସେ ୪ଥର ଆସେସ୍ ଚାମ୍ପିଅନ୍ ହେବା ସହ ଥରେ ଟି-୨୦ ବିଶ୍ୱକପ ଟାଇଟଲ ହାସଲରେ ଦଳକୁ ସହାୟତା କରିଛନ୍ତି।

ବ୍ରଡ ମଧ୍ୟ ୫୬ ଟି-୨୦ ମ୍ୟା‌ଚରେ ୬୫ ୱିକେଟ୍ ଓ ୧୨୧ ଦିନିକିଆରେ ୧୭୮ ଓ୍ବିକେଟ୍ ନେଇଛନ୍ତି | ସେ ୨୦୧୦ ଟି-୨୦ ବିଶ୍ୱକପ ବିଜୟୀ ଇଂଲଣ୍ଡ ଦଳର ସଦସ୍ୟ ଥିଲେ।

ବ୍ରଡ୍ ୨୦୦୭ରେ ଇଂଲଣ୍ଡର ଶ୍ରୀଲଙ୍କା ଗସ୍ତ ସମୟରେ ଟେଷ୍ଟ ପଦାର୍ପଣ କରିଥିଲେ। ସେ ୧୬ ବର୍ଷ ମଧ୍ୟରେ ବିଶ୍ଵର ଦ୍ଵିତୀୟ ପେସ୍ ବୋଲର ଭାବେ ଟେଷ୍ଟ କ୍ରିକେଟ୍‌ରେ ୬୦୦ରୁ ଊର୍ଦ୍ଧ୍ୱ ୱିକେଟ୍ ଅକ୍ତିଆର କରିଛନ୍ତି। ଚଳିତ ଓଭାଲ ଟେଷ୍ଟରେ ସେ ୧୫୦ତମ ଆସେସ ୱିକେଟ୍ ଅକ୍ତିଆର କରିଥିଲେ ।

Exit mobile version