Site icon ଆଜିକାଲି

ପଞ୍ଜାବ ସୀମାରେ ପୁଣି ପାକିସ୍ତାନୀ ଡ୍ରୋନ୍, ଗୁଳିକରି ଖସାଇଲେ ବିଏସ୍ଏଫ୍ ଯବାନ

ନୂଆଦିଲ୍ଲୀ: ପାକିସ୍ତାନର ପୁଣି ଏକ ଅନୁପ୍ରବେଶ ଉଦ୍ୟମ ପଣ୍ଡ କରିଛନ୍ତି ସୁରକ୍ଷା ବାହିନୀ। ସୀମା ସୁରକ୍ଷା ବଳ (ବିଏସଏଫ) କର୍ମଚାରୀମାନେ ଶୁକ୍ରବାର ପଞ୍ଜାବର ଗୁରୁଦାସପୁର ସେକ୍ଟର ଅଧୀନ ଅଜନାଲା ସବ୍ ଡିଭିଜନ ଅନ୍ତର୍ଗତ ରାମସାସ ଗ୍ରାମ ନିକଟରେ ପାକିସ୍ତାନ ପଟୁ ଆସିଥିବା ଏକ ଡ୍ରୋନକୁ ଗୁଳିକରି ଖସାଇ ଦେଇଛନ୍ତି । ଭୋର୍ ପ୍ରାୟ ଚାରିଟା ବେଳେ ଏହି ଘଟଣା ଘଟିଛି । ଡ୍ୟୁଟିରେ ଥିବା ବିଏସ୍ଏଫ୍ ଯବାନମାନେ ଡ୍ରୋନ୍ ଶବ୍ଦ ଶୁଣିବା ପରେ ଆକ୍ସନ୍ ମୋଡକୁ ଆସିଥିଲେ ଏବଂ ଡ୍ରୋନ୍‌କୁ ଫାୟାରିଂ କରି ଖସାଇ ଦେଇଥିଲେ ।

ଗୁରୁଦାସପୁର ରେଞ୍ଜ ଡିଜି ପ୍ରଭାକର ଯୋଶୀ କହିଛନ୍ତି ଯେ ଶାହାପୁର ବର୍ଡର ଆଉଟ ପୋଷ୍ଟ (ବିପି) ନିକଟରେ ମୁତୟନ ଥିବା ୭୩ ବାଟାଲିୟନ କର୍ମଚାରୀ ଡ୍ରୋନକୁ ଖସାଇଥିଲେ । ଡ୍ୟୁଟିରେ ଥିବା ଆମର ସୈନିକମାନେ ନିପୁଣତା ପ୍ରଦର୍ଶନ କରିଥିଲେ ଏବଂ ଗୁଳି କରି ଦକ୍ଷତା ଏବଂ ସାହସର ପରିଚୟ ଦେଇଥିଲେ | ଏହି ଡ୍ରୋନ୍ ଭାରତୀୟ ଅଞ୍ଚଳକୁ ଆସିବା ପରେ ତୁରନ୍ତ ଏହାକୁ ଗୁଳିକରି ଖସାଇ ଦିଆଯାଇଥିଲା ।

ସେ କହିଛନ୍ତି, ‘ଡ୍ରୋନ୍ ପାକିସ୍ତାନର ଦେଓରି ଫରୱାର୍ଡ ପୋଷ୍ଟ ଦେଇ ଭାରତୀୟ ଅଞ୍ଚଳରେ ପ୍ରବେଶ କରିଥିଲା। ଯେଉଁଠିକି ଡ୍ରୋନ୍ ପଠାଯାଇଥିଲା ସେହି ସ୍ଥାନଟି ଏକ ଘଞ୍ଚ ଜଙ୍ଗଲ ଅଞ୍ଚଳ | ଏକ ଆଖୁ କ୍ଷେତରେ ଡ୍ରୋନ୍‌କୁ ଗୁଳି କରି ଖସାଇ ଦିଆଯାଇଥିଲା। ଗୁଳି ଚଳାଇବା ସହ ଆକାଶକୁ ଆଲୋକିତ କରିବା ପାଇଁ ଆମ ସୈନିକମାନେ ରୋଶନ ବୋମା ମଧ୍ୟ ବ୍ୟବହାର କରିଥିଲେ ବୋଲି ସେ କହିଛନ୍ତି । ଅନୁସନ୍ଧାନରେ ଡ୍ରୋନ୍‌ରେ ଏକ ଦଉଡ଼ି ଲାଗିଥିବା ମଧ୍ୟ ଜଣାପଡିଛି। ବିଏସଏଫ ଏବଂ ପଞ୍ଜାବ ପୋଲିସ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରଖିଛି।

Exit mobile version