Site icon ଆଜିକାଲି

ମୋଦିଙ୍କ ରାଲିକୁ ଯାଉଥିବା ବସ୍‌ ଦୁର୍ଘଟଣାଗ୍ରସ୍ତ: ୩ ମୃତ, ଅନେକ ଆହତ

ନୂଆଦିଲ୍ଲୀ : ଛତିଶଗଡ ବିଳାସପୁର ଜିଲ୍ଲାରେ ଏକ ଯାତ୍ରୀବାହୀ ବସ ଭୟଙ୍କର ଦୁର୍ଘଟଣାର ଶିକାର ହୋଇଛି । ଦ୍ରୁତଗତିରେ ଯାଉଥିବା ବସ୍‌ ରାସ୍ତାରେ ଛିଡା ହୋଇଥିବା ହାଇଓ୍ଵା ସହିତ ଧକ୍କା ହୋଇଥିଲା । ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ରୁ ଅଧିକ ଆହତ ହୋଇଛନ୍ତି । ଆହତ ୬ ଜଣଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ମୃତକଙ୍କୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ।

ସୂଚନା ମୁତାବକ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲିରେ ଯୋଗ ଦେବା ପାଇଁ ଅମ୍ବିକାପୁରରୁ ରାୟପୁରକୁ ୪୭ଜଣ ବିଜେପି କର୍ମୀଙ୍କୁ ନେଇ ବସ୍‌ଟି ଯାଉଥିଲା। କୋର୍ବା ଜିଲ୍ଲା ଅତିକ୍ରମ କରି ଭୋର୍ ପ୍ରାୟ ୫ଟା ବେଳେ ବିଳାସପୁର ଜିଲ୍ଲାର ବେଲତାରା ଗ୍ରାମ ନିକଟରେ ପହଞ୍ଚିବା ପରେ ଉକ୍ତ ବସ୍ ରାସ୍ତା ପାର୍ଶ୍ବରେ ଠିଆ ହୋଇଥିବା ହାଇଓ୍ଵା ସହିତ ଧକ୍କା ଖାଇଥିଲା।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ବସ୍‌ଟି ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲା । ଘଟଣା ସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆହତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ଏମାନଙ୍କ ମଧ୍ୟରେ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ମୃତ ବ୍ୟକ୍ତିମାନେ ହେଲେ ସୂରଜପୁର ଜିଲ୍ଲାର ସାଜନ (୩୦), ଋକ୍ଦେବ (୪୫) ଏବଂ ବଳରାମପୁର ବସ୍ ଡ୍ରାଇଭର୍ ଆକ୍ରମ୍ ରାଜା (୨୮)। ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ ହୋଇଛି।

Exit mobile version