Site icon ଆଜିକାଲି

ଅସ୍ତ୍ରୋପଚାର ପରେ ହସ୍ପିଟାଲରୁ ଘରକୁ ଫେରିଲେ କେସିଆର୍‌

ନୂଆଦିଲ୍ଲୀ : ହିପ୍‌ ରିପ୍ଲେସମେଣ୍ଟ ଅସ୍ତ୍ରୋପଚାରର ଏକ ସପ୍ତାହ ପରେ ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଶୁକ୍ରବାର ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଗତ ୮ ତାରିଖରେ ଏରାଭଲିସ୍ଥିତ ତାଙ୍କ ଫାର୍ମହାଉସରେ ସେ ପଡ଼ିଯାଇଥିଲେ, ଫଳରେ ତାଙ୍କର ହିପ୍‌ ଫ୍ରାକ୍ଚର ହୋଇଥିଲା। ଏହାପରେ କେସିଆର୍‌ଙ୍କୁ ତୁରନ୍ତ ହାଇଦ୍ରାବାଦର ସୋମାଜିଗୁଡାସ୍ଥିତ ଯଶୋଦା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ହିପ୍ ରିପ୍ଲେସମେଣ୍ଟ ସର୍ଜରୀ ହୋଇଥିଲା।

ଆଜି ହସ୍ପିଟାଲରୁ ଡିସ୍‌ଚାର୍ଜ ବେଳେ ବିଆର୍‌ଏସ୍‌ ମୁଖ୍ୟ ହସ୍ପିଟାଲର ଡାକ୍ତର, ନର୍ସ ଏବଂ ଅନ୍ୟ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ହସ୍ପିଟାଲ ଛାଡିବା ପରେ କେସିଆର ବନଜାରା ହିଲ୍ସରେ ନନ୍ଦୀ ନଗରରେ ଥିବା ତାଙ୍କ ବାସଭବନରେ ପହଞ୍ଚିଥିଲେ। ପରିବାର ସଦସ୍ୟ ପାରମ୍ପରିକ ରୀତିନୀତି ଅନୁଯାୟୀ ତାଙ୍କୁ ଘରେ ସ୍ୱାଗତ କରିଥିଲେ। ଘରେ ପହଞ୍ଚିବା ପରେ ସେ ଓ୍ଵାକର ସହାୟତାରେ ଚାଲୁଥିବାର ଦେଖାଯାଇଥିଲା।

ଡାକ୍ତରଙ୍କ ମୁତାବକ, କେସିଆରଙ୍କର ବାମ ପାର୍ଶ୍ୱରେ ହିପ୍ ରିପ୍ଲେସମେଣ୍ଟ ଅପରେସନ୍ ହୋଇଛି। ତାଙ୍କୁ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ହେବା ପାଇଁ ଏବେ ୬ରୁ ୮ ସପ୍ତାହ ସମୟ ଲାଗିପାରେ। ପାଖାପାଖି ଦେଢ଼ ଘଣ୍ଟା ମଧ୍ୟରେ ଡାକ୍ତରମାନେ ଗୁରୁତର ଅସ୍ତ୍ରୋପଚାର କରିଥିଲେ। କେସିଆର୍‌ଙ୍କ ପୁଅ କିଟି ରାମା ରାଓ ‘ଏକ୍ସ’ରେ ପୋଷ୍ଟ କରି କହିଥିଲେ, ବାଥରୁମରେ ପଡ଼ିଯିବା କାରଣରୁ କେସିଆର୍‌ଙ୍କୁ ହିପ୍‌ ରିପ୍ଲେସମେଣ୍ଟ ସର୍ଜରୀ କରାଇବାକୁ ପଡ଼ିବ।

FacebookTwitterLinkedinWhatsapp
Exit mobile version