Site icon ଆଜିକାଲି

୨୦୦୦ ଟଙ୍କିଆ ନୋଟ୍ ଅଚଳ ନିଷ୍ପତ୍ତିକୁ ‘ଦ୍ୱିତୀୟ ‘ନୋଟବନ୍ଦୀ’ କହିଲେ ଖଡ଼ଗେ, ନିରପେକ୍ଷ ତଦନ୍ତ ଦାବି

ନୂଆଦିଲ୍ଲୀ: ଭାରତୀୟ ବଜାରରୁ ୨୦୦୦ ଟଙ୍କିଆ ନୋଟ୍ ପ୍ରତ୍ୟାହାର କରିବାକୁ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଘୋଷଣାର ଦିନକ ପରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଶନିବାର କେନ୍ଦ୍ର ସରକାରଙ୍କୁ ଆକ୍ରମଣ କରିଛନ୍ତି।ଏହା ପ୍ରଥମ ନୋଟବନ୍ଦୀ ବେଳର ଦୋଷତ୍ରୁଟି ଲୁଚାଇବାକୁ ଏକ ପ୍ରୟାସ । ସେ ଏହାକୁ ‘ଦ୍ୱିତୀୟ ନୋଟବନ୍ଦୀ’ ବୋଲି କହି ଏହାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି।

ଖଡ଼ଗେ ଟ୍ୱିଟ୍ କରି କହିଛନ୍ତି, “ଆପଣ (କେନ୍ଦ୍ର) ପ୍ରଥମ ନୋଟବନ୍ଦୀ ସହ ଅର୍ଥନୀତିକୁ ଏକ ଶକ୍ତ ଆଘାତ ଦେଇଛନ୍ତି ଯାହା ସମଗ୍ର ଅଣସଂଗଠିତ କ୍ଷେତ୍ରକୁ ଧ୍ୱଂସ କରିଦେଇଛି, ଏମଏସଏମଇ (କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗ) କୁ ବନ୍ଦ କରିଦେଇଛି ଏବଂ କୋଟି କୋଟି ଚାକିରୀ ନେଇଛି। ଏବେ ପୁଣି ୨୦୦୦ ଟଙ୍କିଆ ନୋଟ୍ ଅଚଳ ସହ ‘ଦ୍ୱିତୀୟ ନୋଟବନ୍ଦୀ” | ଏହା ଭୁଲ୍ ନିଷ୍ପତ୍ତି ଉପରେ ପରଦା ପକାଇବା ନୁହେଁ କି ? ଏକ ନିରପେକ୍ଷ ତଦନ୍ତ ଦ୍ୱାରା ହିଁ ଏହା ପଛର ସତ୍ୟତା ସାମ୍ନାକୁ ଆସିବ ।”

ସୂଚନାଯୋଗ୍ୟ ଯେ, ସେପ୍ଟେମ୍ବର ୨୦୨୩ ପରେ ଆରବିଆଇ ୨୦୦୦ ଟଙ୍କିଆ ନୋଟକୁ ବଜାରରୁ ପ୍ରତ୍ୟାହାର କରିବାକୁ ଶୁକ୍ରବାର ଘୋଷଣା କରିଥିଲା । ମେ ୨୩ରୁ ବ୍ୟାଙ୍କଗୁଡିକରେ ୨୦୦୦ ନୋଟ୍ ବଦଳାଇ ହେବ | ଆରବିଆଇ ପ୍ରେସ୍ ବିବୃତି ଅନୁଯାୟୀ, ବର୍ତ୍ତମାନ ଚାଲୁଥିବା ୨୦୦୦ ଟଙ୍କିଆ ନୋଟ୍ ବୈଧ ମାନ୍ୟ ହେବ । ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଏହି ନୋଟ୍ ବ୍ୟାଙ୍କର ଜମା ଏବଂ ଏକ୍ସଚେଞ୍ଜ କରାଯାଇ ପାରିବ। ତେବେ ଥରକେ କେବଳ ୨୦,୦୦୦ ଟଙ୍କା ପର୍ଯ୍ୟନ୍ତ ୨୦୦୦ ନୋଟ୍ ବଦଳାଇ ହେବ ।

Exit mobile version