Site icon ଆଜିକାଲି

ଭାରତରୁ ୪୧ କୂଟନୀତିଜ୍ଞଙ୍କୁ ଫେରାଇନେଲା କାନାଡ଼ା

ନୂଆଦିଲ୍ଲୀ: ଭାରତ ସହ ତିକ୍ତତା ମଧ୍ୟରେ ଭାରତରୁ ୪୧ କୂଟନୀତିଜ୍ଞଙ୍କୁ ଫେରାଇ ନେଇଛି କାନାଡା‌ । କୂଟନୀତିଜ୍ଞଙ୍କୁ ପ୍ରତ୍ୟାହାର ନେଇ କାନାଡାର ବୈଦେଶିକ ମନ୍ତ୍ରୀ ମେଲାନି ଜୋଲି ସୂଚନା ଦେଇଛନ୍ତି। ତେବେ କାନାଡା ଯେସାକୁ ତେସା ନୀତି ଆପଣାଇବ ନାହିଁ ବୋଲି ସେ କହିଛନ୍ତି । ଖଲିସ୍ତାନୀ ଆତଙ୍କବାଦୀ ହାର୍ଦ୍ଦିକ ସିଂ ନିଜ୍ଜର ହତ୍ୟା ମାମଲାରେ ଭାରତର ସମ୍ପୃକ୍ତି ନେଇ କାନାଡ଼ା ଅଭିଯୋଗ କରିବା ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ଦେଖାଦେଇଥିଲା।

ଉଲ୍ଲେଖଯୋଗ୍ୟ, ସେପ୍ଟେମ୍ବର ୧୮ରେ ହାଉସ ଅଫ୍ କମନ୍ସରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଏକ ବୟାନ ନେଇ ଝଡ଼ ସୃଷ୍ଟି ହୋଇଥିଲା । ଟ୍ରୁଡୋ କାନାଡ଼ା ସଂସଦରେ କହିଥିଲେ ଯେ ହାର୍ଦ୍ଦିକ ସିଂ ହତ୍ୟାରେ ଭାରତୀୟ ଏଜେନ୍ସିର ସମ୍ପୃକ୍ତି ରହିଛି । ଏହା ପରେ କାନାଡା ଜଣେ ଭାରତୀୟ କୂଟନୀତିଜ୍ଞଙ୍କୁ ବହିଷ୍କାର କରିଥିଲା । ଟ୍ରୁଡୋଙ୍କ ଦାବିକୁ ଭାରତ ଖଣ୍ଡନ କରିଥିଲା ଓ ଏହାକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଥିଲା ।

ଏହା ପରେ ଭାରତ ମଧ୍ୟ ଯେସାକୁ ତେସା ନୀତିରେ କାନାଡାର କୂଟନୀତିଜ୍ଞଙ୍କୁ ଦେଶ ଛାଡିବାକୁ ନିର୍ଦ୍ଦେଶ ଦେଇଥିଲା। ଏହାଛଡ଼ା ଅକ୍ଟୋବର ପ୍ରଥମ ସପ୍ତାହରେ ଭାରତ ଆଉ ୪୧ ଜଣ କାନାଡ଼ୀୟ କୂଟନୀତିଜ୍ଞଙ୍କୁ ଦେଶ ଛାଡିବାକୁ କହିଥିଲା । ଭାରତରେ କାନାଡାର ମୋଟ ୬୨ କୂଟନୀତିଜ୍ଞ ଅଛନ୍ତି।

Exit mobile version