Site icon ଆଜିକାଲି

ଇଡି ଚଢ଼ାଉ ବେଳେ ଲାଲୁଙ୍କ ପୁଅ-ଝିଅ ଘରୁ ମିଳିଲା ୫୩ ଲକ୍ଷ ନଗଦ, ୧୯୦୦ ଡଲାର ଓ ଦୁଇ କେଜି ସୁନା

ନୂଆଦିଲ୍ଲୀ: ରେଳରେ ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ଲାଲୁ ପ୍ରସାଦ ଯାଦବଙ୍କ ସମ୍ପର୍କୀୟଙ୍କ ବାସଭବନରେ ଶୁକ୍ରବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚଢ଼ାଉ କରିଥିଲା । ଇଡିର ଏହି ରେଡ୍ ଦିଲ୍ଲୀ, ମୁମ୍ବାଇ, ପାଟନା ଓ ନୋଏଡା ସ୍ଥିତ ବିଭିନ୍ନ ସ୍ଥାନରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା ।

ଚଢ଼ାଉ ବେଳେ ଲାଲୁଙ୍କ ପରିବାର ଲୋକଙ୍କ ଘରୁ ୫୩ ଲକ୍ଷ ଟଙ୍କା ନଗଦ, ୧,୯୦୦ ଆମେରିକୀୟ ଡଲାର, ପ୍ରାୟ ୫୪୦ ଗ୍ରାମ ସୁନା ଏବଂ ଦେଢ଼ କିଲୋଗ୍ରାମ ସୁନା ଅଳଙ୍କାର ଜବତ କରାଯାଇଛି ବୋଲି ଇଡି ସୂତ୍ରରୁ ପ୍ରକାଶ। ରେଡ୍ ବେଳେ ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ମଧ୍ୟ ଉପସ୍ଥିତ ଥିଲେ।

ଲାଲୁ ପ୍ରସାଦଙ୍କ ଝିଅ ରାଗିଣୀ ଯାଦବ, ଚନ୍ଦା ଯାଦବ ଏବଂ ହେମା ଯାଦବଙ୍କ ସହ ଆରଜେଡି ନେତା ତଥା ପୂର୍ବତନ ବିଧାୟକ ସୟଦ ଆବୁ ଦୋଜାନା, ଅମିତ କତ୍ୟାଲ, ନବଦୀପ ସର୍ଦ୍ଦାର ଏବଂ ପ୍ରବୀଣ ଜୈନ ପ୍ରମୁଖ ବାସଭବନରେ ଇଡି ଚଢ଼ାଉ କରିଥିଲା । ସୂତ୍ରରୁ ପ୍ରକାଶ ଯେ କେନ୍ଦ୍ରୀୟ ସୁରକ୍ଷା ବାହିନୀ ଏସକର୍ଟ ସହ ପ୍ରାୟ ଦୁଇ ଡଜନ ସ୍ଥାନରେ ଇଡି ଟିମ୍ ତଲାସି କରିଥିଲା ।

ଲାଲୁ ପ୍ରସାଦ ଯାଦବଙ୍କ ସମ୍ପର୍କୀୟ ଓ ସହଯୋଗୀଙ୍କ ଘରେ ହୋଇଥିବା ଚଢ଼ାଉକୁ ବିରୋଧୀ ଏକା ସ୍ବରରେ ସମାଲୋଚନା କରିଛନ୍ତି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଯେ ବିରୋଧୀ ଦଳର ନେତାଙ୍କ ଉପରେ ଇଡି-ସିବିଆଇର ଦୁରୁପଯୋଗ କରି ଗଣତନ୍ତ୍ରକୁ ହତ୍ୟା କରିବା ପାଇଁ ମୋଦୀ ସରକାର ଏକ ହୀନ ଉଦ୍ୟମ କରୁଛନ୍ତି।

ଲାଲୁ ଯାଦବ ୨୦୦୪-୨୦୦୯ ଯାଏଁ ୟୁଏପିଏ ଶାସନ ଅମଳରେ କେନ୍ଦ୍ର ରେଳମନ୍ତ୍ରୀ ଥିବାବେଳେ ରେଳବାଇ ଗ୍ରୁପ୍ ଡି’ ଚାକିରି ପାଇଁ ଲାଲୁ ପରିବାର ଲାଞ୍ଚ ଭାବେ ଆଶାୟୀ ପ୍ରାର୍ଥୀମାନଙ୍କ ଠାରୁ ଜମି ନେଇଥିଲେ। ଲାଲୁଙ୍କ ସହ ତାଙ୍କର ଅନେକ ପରିବାର ସଦସ୍ୟଙ୍କ ମଧ୍ୟ ଏହି ମାମଲାରେ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଥିଲା । ଲାଲୁ ଯାଦବ ପ୍ରଥମେ ପ୍ରାର୍ଥୀଙ୍କୁ ଅସ୍ଥାୟୀ ଭାବେ ନିଯୁକ୍ତ କରୁଥିଲେ। ଜମି ଡିଲ୍ ଚୂଡ଼ାନ୍ତ ହେବା ପରେ ସେମାନଙ୍କୁ ନିୟମିତ କରାଯାଉଥିଲା।

ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ସିବିଆଇ ଚାର୍ଜସିଟ୍ ଆଧାରରେ ଲାଲୁ ଯାଦବ, ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ପତ୍ନୀ ରାବଡୀ ଦେବୀ, ବଡ ଝିଅ ତଥା ରାଜ୍ୟସଭା ସାଂସଦ ମିସା ଭାରତୀଙ୍କୁ ସମନ ଜାରି କରିଥିଲେ । ସମସ୍ତଙ୍କୁ ମାର୍ଚ୍ଚ ୧୫ରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ତିନି ଦିନ ତଳେ ଏହି ମାମଲାରେ ସିବିଆଇ ମଧ୍ୟ ରାବଡୀ ଦେବୀ ଓ ଲାଲୁଙ୍କୁ ଜେରା କରିଥିଲା ।

Exit mobile version